ମାଲକାନଗିରି,୨୨/୦୭ (ସୁଧାଂଶୁ ଶେଖର ମହାନ୍ତି)
+୨ ପରୀକ୍ଷାରେ ଫେଲ ହେବା ପରେ ଖାତାର ରିଚେକିଂ କରାଇ ମାର୍କ ବଢ଼ାଇ ଦେବ କହି ଛାତ୍ରୀ ଙ୍କ ଠାରୁ ଲୁଟି ନେଲା ୧୭ ହଜାର ଟଙ୍କା। ଶେଷରେ ଛାତ୍ରୀ ଙ୍କ ପିତା ଜାଣିବାକୁ ପାଇ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ମାମଲା ପରେ ଆଜି ଅଭିଯୁକ୍ତ କୁ ଗିରଫ କରିଛି ଓରକେଲ ପୋଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୩୦.୧୧.୨୫ ରେ ବାଲିମେଳା ସହର ସ୍ଥିତ ୧୦ ନଂ ୱାର୍ଡ ଓସିସି କଲୋନୀର ବି ଈଶ୍ୱର ରାଓ ନାମକ ବ୍ୟକ୍ତି ନିଜ ଝିଅ +୨ରେ ପରୀକ୍ଷାରେ ଫେଲ ହୋଇଯାଇଥିବା ବେଳେ ଏହାର ପୁନଃ ଚେକିଂ କରାଇ ମାର୍କ ବଢ଼ାଇ ପାସ କରାଇଦେବା କୁ କହି ବାଲେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ୧୭ ହଜାର ଟଙ୍କା ଲୁଟି ନେଇଥିବା ଜାଣିବାକୁ ପାଇ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଏହାପରେ ପୋଲିସ କେସ ନଂ ୩୩୦/୨୫ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଘଟଣା କୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଜଣଙ୍କ ସଠିକ ଠିକଣା ପାଉ ନଥିବା ବେଳେ ଚଳିତ ମାସ ୧୬ ତାରିଖରେ ଅଭିଯୁକ୍ତ ଜଣଙ୍କ ବାଲେଶ୍ୱର ଅଞ୍ଚଳର ବାଲିସାହି ଗ୍ରାମରେ ରହିଥିବା ଖବର ପାଇଥିଲା। ଏହାପରେ ଥାନାଧିକାରୀ ଦେଵଦତ୍ତ ମଲ୍ଲିକ ଙ୍କ ନିର୍ଦ୍ଦେଶକ୍ରମେ ଓରକେଲ ଥାନା ଏସଆଇ ଅଜିତ ସିଂ ବାରିହା ଏବଂ ଏଏସଆଇ ସୁରେଶ ବିଶି ମାଝୀ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଅଭିଯୁକ୍ତ ଜଣଙ୍କୁ ସିଙ୍ଗଲା ଥାନା ଅନ୍ତର୍ଗତ ପୁଟୁରା ପଞ୍ଚାୟତ ର ବାଲିସାହି ଗ୍ରାମରୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ନାମ ନିରଞ୍ଜନ ସେଠୀ(୩୧) ହୋଇଥିବା ବେଳେ ତା ନିକଟରୁ ୧୭ ହଜାର ଟଙ୍କା ସମେତ ଏକ ମୋବାଇଲ ଜବତ ସହ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି।

