ବାରିପଦା,୫/୧୦(ପାଇକପୁଅ) ଗୋରୁ ଚାଲାଣ ସନ୍ଦେହରେ ଏକ ମିନି ଟ୍ରକ୍ର ଚାଳକଙ୍କୁ ମାଡ଼ ମାରି ଗୁରୁତର ଆହତ କରିବା ଘଟଣାରେ ଭଞ୍ଜପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ଥାନାରେ ହଙ୍ଗାମା କରିବା ଅଭିଯୋଗରେ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଅକ୍ଟୋବର ୩ ତାରିଖ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଚାଳକ ସୁଭାଶିଷ ସିଂହରାୟ ଏକ ମିନି ଟ୍ରକରେ ବାଦାମପାହାଡ଼ ଅଞ୍ଚଳରୁ ବୋଇତାଳୁ ନେଇ କଲକାତା ଯାଉଥିଲେ। ପୋଡ଼ାଅସ୍ତିଆ ନିକଟରୁ ଏକ କାର ଓ ୩/୪ଟି ବାଇକରେ ଥିବା କିଛି ଯୁବକ ଟ୍ରକଟିକୁ ପିଛା କରିଥିଲେ। ଗାଡ଼ିରେ ଗୋଚାଲାଣ ହେଉଥିବା ସନ୍ଦେହରେ ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ଟ୍ରକଟିକୁ ଅଟକାଇ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଖବର ପାଇ ଭଞ୍ଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହ ମିନି ଟ୍ରକଟିକୁ ଥାନାକୁ ଆଣିଥିଲା। ଏନେଇ ଭଞ୍ଜପୁର ଥାନାରେ ମାମଲା ନଂ ୨୭୫, ତାରିଖ ୪/୧୦/୨୦୨୬ ରୁଜୁ କରାଯାଇ ଭୁଗୁଡ଼ାକଟାର କୃଷ୍ଣ ଘୋଡ଼େଇ (୩୦), ଯମୁନାଦେଇପୁରର କୃଷ୍ଣକାନ୍ତ ଧଡ଼ା (୨୮), ଭୁଗୁଡ଼ାକଟାର ରାଜା ଓରଫ ତପନ କୁମାର ଘୋଡ଼େଇ (୨୫) ଓ ରାଜକୃଷ୍ଣ ବୈଠା (୩୫)ଙ୍କୁ ଗିରଫ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।
ତେବେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ପରେ ସେହି ଅକ୍ଟୋବର ୪ ତାରିଖ ବିଳମ୍ବିତ ରାତିରେ କିଛି ଲୋକ ଗିରଫ ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଭଞ୍ଜପୁର ଥାନାରେ ପହଞ୍ଚିଥିଲେ। ସେମାନେ ମାତାଲ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ଥାନା ଗେଟ ଠେଲି ଜୋରଜବରଦସ୍ତ ଭିତରକୁ ପଶିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିସହ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଠେଲାପେଲା କରିବା ସହ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ପ୍ରତି ଅସଦାଚରଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଏନେଇ ଭଞ୍ଜପୁର ଥାନାରେ ମାମଲା ନଂ ୨୭୭, ତାରିଖ ୫/୧୦/୨୦୨୬ରେ ମାମଲା ରୁଜୁ କରାଯାଇ ରାମକୃଷ୍ଣ ମହାପାତ୍ର ଓ ଅଭିଷେକ ଜେନାଙ୍କୁ ଗିରଫ କରାଯାଇଛି। ପରେ 6ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

