ବାରିପଦା, ୦୫/୧୦(ପାଇକପୁଅ)ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଆର ଆଣ୍ଡ ବି ସବଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ସମ୍ପର୍କିତ ୧୦ଟି ସ୍ଥାନରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଉଛି। ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତର ମାନ୍ୟବର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସର ଟିମ ଏହି ଚଢ଼ଉ କରୁଛି।
ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଅଙ୍ଗାରଗଡ଼ିଆ ସ୍ଥିତ ଶ୍ରୀ ମହାନ୍ତିଙ୍କ ତିନି ମହଲା ବାସଭବନ, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାସ୍ଥିତ ଦୁଇ ମହଲା କୋଠା, ବେତନଟୀ ଆର ଆଣ୍ଡ ବି ସବଡିଭିଜନ କାର୍ଯ୍ୟାଳୟ ଓ ବେତନଟୀସ୍ଥିତ ତାଙ୍କ ବାସଭବନରେ ତଲାସୀ ଚାଲିଛି।
ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ରାୟଣ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମ ହାଉସ, ବାମପଦାସ୍ଥିତ ଅନ୍ୟ ଏକ ଘର ଏବଂ ଅଙ୍ଗାରଗଡ଼ିଆ ସ୍ଥିତ ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ଉ ହୋଇଛି।
ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗାସ୍ଥିତ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର ଏବଂ ବାଲେଶ୍ୱର ଜିଲ୍ଲା ବାମପଦାସ୍ଥିତ ଆଉ ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ତଲାସୀ ଜାରି ରଖିଥିବା ବେଳେ ବହୁ ମୂଲ୍ୟବାନ ସମ୍ପତ୍ତିର ସନ୍ଧାନ ମିଳିଛି। ଏପର୍ଯ୍ୟନ୍ତ ତାଙ୍କ ଓ ପରିବାର ସଦସ୍ୟଙ୍କ ନାମରେ ବାଲେଶ୍ୱର ଅଙ୍ଗାରଗଡ଼ିଆରେ ପ୍ରାୟ ୩୫୦୦ ବର୍ଗଫୁଟ ଅଞ୍ଚଳର ଏକ ତିନି ମହଲା କୋଠା ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ପ୍ରାୟ ୧୮୦୦ ବର୍ଗଫୁଟ ଅଞ୍ଚଳର ଏକ ଦୁଇ ମହଲା କୋଠା ଠାବ ହୋଇଛି। ସେହିପରି ବାଲେଶ୍ୱର ଜିଲ୍ଲା ବସନ୍ତପୁରରେ ପ୍ରାୟ ୫ ଏକର ଜମିରେ ଥିବା ଏକ ଫାର୍ମହାଉସ୍ର ସନ୍ଧାନ ମିଳିଛି। ଏହି ଫାର୍ମହାଉସ୍ରେ ୨ଟି ମାଛ ପୋଖରୀ ଓ ପୋଲ୍ଟ୍ରି ଫାର୍ମ ଥିବା ଜଣାପଡ଼ିଛି। ଏଥିସହ ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ୨୦ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି। ଠାବ ହୋଇଥିବା କୋଠା, ଫାର୍ମହାଉସ୍ ଓ ପ୍ଲଟ୍ଗୁଡ଼ିକର ମାପଚୁପ ସହ ମୂଲ୍ୟାୟନ କାର୍ଯ୍ୟ ଭିଜିଲାନ୍ସର ଟେକ୍ନିକାଲ ୱିଙ୍ଗ୍ ପକ୍ଷରୁ ଜାରି ରହିଛି। ଚଢ଼ଉ ବେଳେ ନଗଦ ୨ ଲକ୍ଷ ୭୭ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏହାଛଡ଼ା ଶ୍ରୀ ମହାନ୍ତିଙ୍କ ପତ୍ନୀଙ୍କ ନାମରେ ଥିବା ଗୋଟିଏ ଏବଂ ଜଣେ ସହଯୋଗୀଙ୍କ ନାମରେ ଥିବା ଆଉ ଗୋଟିଏ ଲକରର ସନ୍ଧାନ ମିଳିଛି। ବିଭିନ୍ନ ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଆର୍ଥିକ ନିବେଶ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଥ୍ୟ ଯାଞ୍ଚ କରାଯାଉଛି।
ଚଢ଼ଉ ବେଳେ ଗୋଟିଏ ବ୍ରେଜା କାର୍ ସମେତ ୨ଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି। ସମ୍ପତ୍ତିର ମାପଚୁପ, ମୂଲ୍ୟାୟନ ଓ ଅନ୍ୟାନ୍ୟ ଯାଞ୍ଚ ଜାରି ରହିଥିବା ବେଳେ ଚଢ଼ଉ ଶେଷ ହେବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

