ବାରିପଦା, ୦୭/୧୦(ପାଇକପୁଅ)ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ’ ବାରିପଦାସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ମୟୂରଭଞ୍ଜ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୮ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନେ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ମହୋତ୍ସବ ଅବସରରେ ବାଳକ ଓ ବାଳିକା ବର୍ଗରେ ପୃଥକ ଭାବେ ଫୁଟବଲ, ଚେସ, କ୍ୟାରମ, ଉଚ୍ଚଡିଆଁ, ଲମ୍ବଡିଆଁ, ୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ଼ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ, କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ବାରିପଦା ସହିଦ ସ୍ମୃତି ଭବନଠାରେ ଆୟୋଜିତ ହେବାକୁ ଥିବା ‘ମହକ’ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଏଥିସହ କୃତୀ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ‘ଉତ୍ସାହ’ ଓ ‘ମହକ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଜଣାଯାଇଛି. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୂରଥ କୁମାର ପଟ୍ଟନାୟକ ଏବଂ ମୟୂରଭଞ୍ଜ କ୍ରୀଡ଼ା ସଂଘର ଅଧ୍ୟକ୍ଷ ବିଜୟ କୁମାର ଦାସ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ଶିକ୍ଷା ସହିତ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପର ଗୁରୁତ୍ୱ ରହିଛି ବୋଲି କହିଥିଲେ. ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ ପ୍ରଦାନ କରିଥିଲେ।

