ବାରିପଦା, ୦୭/୧୦(ପାଇକପୁଅ) ବାରିପଦା ସହରରେ ବିଜେପି ପକ୍ଷରୁ ବିକଶିତ ଭାରତ ସଂକଳ୍ପ ସଭା ତଥା ସେବା ଜ୍ୟୋତି ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ଏହି ଅବସରରେ ବାରିପଦା କଲେଜ ପଡ଼ିଆରେ ଅନୁଷ୍ଠିତ ଏହି ସମାବେଶରେ ଶତାଧିକ ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଲୋକ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇ ଉଦବୋଧନ ଦେଇଥିଲେ।ଦେଶର ବିକାଶ, ଜନକଲ୍ୟାଣ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି ଅବସରରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ଏସ୍ଡ଼ିସି ଅଧ୍ୟକ୍ଷ ଡା. ବୁଢାନ ମୁର୍ମୁ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଜେପି ଜିଲ୍ଲା ସଭାପତି ନିହାର ମୋଦୀ, ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି କାନ୍ଦ୍ରା ସୋରେନ ପ୍ରମୁଖ ବହୁ ନେତୃତ୍ୱ ଉପସ୍ଥିତ ଥିଲେ। ସଭାରେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଦେଶରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ। ଓଡ଼ିଶା ସମେତ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସଭା ଶେଷ ହେବା ପରେ ଆରମ୍ଭ ହୋଇଥିଲା ‘ସେବା ଜ୍ୟୋତି ପଦଯାତ୍ରା’। ବିଜେପି ନେତା ଓ କର୍ମୀଙ୍କ ସମେତ ବହୁ ସଂଖ୍ୟକ ସମର୍ଥକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। କଲେଜ ପଡ଼ିଆରୁ ଆରମ୍ଭ ହୋଇଥିବା ପଦଯାତ୍ରା ଭଞ୍ଜପୁର ଛକ ଦେଇ ଫାୟାର ଷ୍ଟେସନ ଛକରେ ପହଞ୍ଚିଥିଲା। ସମଗ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିକଶିତ ଭାରତ ଗଠନର ସଂକଳ୍ପ, ସେବା ଓ ଜନସେବାର ବାର୍ତ୍ତା ଦିଆଯାଇଥିଲା।

