ମାଲକାନଗିରି,୧୭/୦୮ (ସୁଧାଂଶୁ ଶେଖର ମହାନ୍ତି) ସବୁଜ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡରେ ବେଆଇନ ବ୍ଳାଷ୍ଟିଙ୍ଗ ନେଇ ଅଭିଯୋଗ। ଗ୍ରାମବାସୀଙ୍କ ବିକ୍ଷୋଭ ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାର ଜଣା ପଡିଛି। ଏକଦା ଲାଲଗଡ ଭାବେ ପରିଚିତ ଥିବା ମାଥିଲି ବ୍ଲକ ଅଧୀନସ୍ଥ ଟେମୁରପାଲୀ ପଞ୍ଚାୟତର ତୁଳସୀ ପାହାଡ଼କୁ ରାସ୍ତା ନିର୍ମାଣ ନାମରେ ବେଆଇନ ବ୍ଲାଷ୍ଟିଙ୍ଗ କରି କ୍ରସର କରୁଛି ଆନ୍ଧ୍ରପ୍ରଦେଶ କମ୍ପାନୀ। ଗତ ୨ ଦିନ ହେଲା ଏହି ବ୍ଲାଷ୍ଟିଙ୍ଗ ଚାଲି ଥିବାରୁ, ପ୍ରଚଣ୍ଡ ଶବ୍ଦ ସହିତ ପଥର ଖଣ୍ଡ ନିକଟସ୍ଥ ଗ୍ରାମ ଓ ଜମି ଗୁଡିକରେ ପଡୁଛି, ଏହା ଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମ ବାସୀ। ରାସ୍ତାର ଆଳ ଦେଖାଇ ଲାଲକରିଡର ତଥା ତୁଳସୀ ଘାଟିରେ ବେଆଇନ କ୍ରସର ପଏଣ୍ଟ କରିଥିଲା ଆନ୍ଧ୍ରପ୍ରଦେଶର ଠିକା କମ୍ପାନୀ। ବ୍ଲାଷ୍ଟିଙ୍ଗ ସାଙ୍ଗକୁ ହଜାର ହଜାର ଗଛ କାଟିଥିଲା ହାଇଗ୍ରୀଭା ଠିକା କମ୍ପାନୀ। ଏପଟେ ଏହାକୁ ବିରୋଧ କରି ତୁଳସୀ ପାହାଡ଼ ଅଞ୍ଚଳର ଗ୍ରାମବାସୀ ମାନେ କ୍ରସର ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ଗାଁରେ ଶୋଭାଯାତ୍ରା କରିଛନ୍ତି। ଗାଁକୁ ରାସ୍ତା ନିର୍ମାଣ ହେଉ କିନ୍ତୁ କ୍ରସର ପଏଣ୍ଟ କରି ବ୍ଲାଷ୍ଟିଙ୍ଗ ନକରିବା ପାଇଁ ଦାବି କରିଛନ୍ତି ତୁଳସୀପାହାଡ଼ବାସୀ। ଏସମ୍ପର୍କରେ ତଦନ୍ତ ପାଇଁ କିଛି ଅଧିକାରୀ ସେଠା କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାର ଜଣା ପଡିଛି। ଏସମ୍ପର୍କ ରେ ଆମେ ମାଲକାନଗିରି ଜିଲ୍ଲା ଖଣି ଓ ଇସ୍ପାତ ଅଧିକାରୀ ସତ୍ୟେନ୍ଦ୍ର ସରଦାର ଙ୍କୁ ପଚାରିବାରୁ ସେ କହିଛନ୍ତି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି, କାହା ନିର୍ଦ୍ଦେଶ ରେ ପଥର ବ୍ଲାଷ୍ଟିଙ୍ଗ କରା ଯାଉଥିଲା ସେ ସମ୍ପର୍କ ରେ ସମ୍ପୃକ୍ତ ଠିକା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଈଛି ବୋଲି ସେ ପ୍ରକାଶ କରିଛନ୍ତି।

