ବାରିପଦା, ୨୮/୦୯(ପାଇକପୁଅ)ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଠାରେ ଜଣେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରାଯିବା ସହ ତାଙ୍କ ମୋବାଇଲ ଫୋନ ଛିନତାଇ ହୋଇଥିବା ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଗତିବାଦୀର ସାରସକଣା ବ୍ଲକ ପ୍ରତିନିଧି କ୍ଷୀରୋଦ ଚନ୍ଦ୍ର ଦାସ ବମ୍ବେଛକ ବଜାରରେ ରହିଥିବା ନିଜ ବସ ଟିକଟ କାଉଣ୍ଟର ବନ୍ଦ କରୁଥିବା ସମୟରେ,ଗତ ୨୭ ତାରିଖ ରବିବାର ରାତିରେ ରାମଶୋଲା ଅଞ୍ଚଳର ସତ୍ୟ ନାରାୟଣ ଦାସ (ରାଜୁ) ତାଙ୍କୁ ଫୋନ କରି କେଉଁଠି ଅଛନ୍ତି ବୋଲି ପଚାରିଥିଲେ। ଏହାର କିଛି ସମୟ ପରେ ରାଜୁ ଗୋଟିଏ କାରରେ ଆସି ପୂର୍ବରୁ ସୁବ୍ରତ ପାଢ଼ୀ ଓ ଦୁଲାଲ ସାହୁ ଦୁଇ ଗୃହରକ୍ଷୀଙ୍କ କାର୍ଯ୍ୟରେ ଅବହେଳା ଖବର ପ୍ରକାଶ ନେଇ ସୃଷ୍ଟି ହୋଇଥିବା ମନ ମାଳିନ୍ୟର ବୁଝାମଣା କରିବା ବାହାନାରେ କ୍ଷୀରୋଦଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ ସେଠାରେ ଆଲୋଚନା ଚାଲିଥିବା ସମୟରେ ହଠାତ ସନସାର ମିଶ୍ର (ବାବା) ନାମକ ଜଣେ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ କ୍ଷୀରୋଦଙ୍କ ମୋବାଇଲଟିକୁ ଛଡ଼ାଇ ନେଇଥିଲେ ଏବଂ ତାଙ୍କ ମୁଣ୍ଡକୁ ଶକ୍ତ ଆକ୍ରମଣ କରିଥିଲେ।ଆକ୍ରମଣ ଫଳରେ କ୍ଷୀରୋଦଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା।ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପୀଡ଼ିତ ସାମ୍ବାଦିକ ଝାରପୋଖରିଆ ଥାନାରେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପ୍ରକାଶ ଥାଉକି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ବାଲି ଗଛିତ ହୋଇଥବା ନେଇ କ୍ଷୀରୋଦ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶ କରିଥିଲେ।ଥାନାରେ ନୂତନ ଆଇଆଇସି ଭାବେ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ କାର୍ଯ୍ୟରେ ଯୋଗ ଦେବା ପରେ ବେଆଇନ ବାଲି ଟ୍ରଲର ଜବଦ କରିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିକୋଟି ଟଙ୍କାର ଗଛିତ ବାଲିକୁ ଜବଦ କରାଯିବା ସହିତ ପ୍ରଯ୍ୟାୟ କ୍ରମେ ନିଲାମ କାର୍ଯ୍ୟ ଜାରୀ ରହିଛି। ଯାହାକୁ ନେଇ ସାମ୍ବାଦିକ କ୍ଷୀରୋଦଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରା ଯାଇଥିବା ଜଣା ପଡିଛି।

