ବାରିପଦା,୨୮/୦୯(ପାଇକପୁଅ)ଉଚ୍ଚଶିକ୍ଷା କ୍ଷେତ୍ରରେ ଉଦ୍ୟମିତା, ନବସୃଜନ ଓ ଷ୍ଟାର୍ଟ-ଅପ ସଂସ୍କୃତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଫ୍ୟାକଲ୍ଟି ମେଣ୍ଟର ଡେଭଲପମେଣ୍ଟ ପ୍ରୋଗ୍ରାମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୪୦ ଜଣ ଅଧ୍ୟାପକ ମନୋନୀତ ହୋଇଥିଲେ।
ଅହମଦାବାଦସ୍ଥିତ ଏଣ୍ଟରପ୍ରେନ୍ୟୁରଶିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦାର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଆଶୁତୋଷ ପ୍ରୟାସ ଦାଶ ଓଡ଼ିଶା ସରକାରଙ୍କ ପକ୍ଷରୁ ମନୋନୀତ ହୋଇ ଅଂଶଗ୍ରହଣ କରି ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପ୍ରଶିକ୍ଷଣ ପରେ ମନୋନୀତ ଫ୍ୟାକଲ୍ଟି ସଦସ୍ୟମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ନୋଡାଲ ଅଫିସର ଭାବେ କାର୍ଯ୍ୟ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟମିତା, ନବସୃଜନ ଓ ଷ୍ଟାର୍ଟ-ଅପ ଦିଗରେ ପ୍ରୋତ୍ସାହିତ କରିବେ ବୋଲି ଜଣାଯାଇଛି।ବର୍ତ୍ତମାନ ସମୟ ଉଦ୍ୟମିତା ଓ ବ୍ୟବସାୟର ସମୟ। ପ୍ରଶିକ୍ଷଣରୁ ଅର୍ଜିତ ଜ୍ଞାନ ଓ ଦକ୍ଷତାକୁ ଶିକ୍ଷାନୁଷ୍ଠାନରେ ପ୍ରୟୋଗ କରି କ୍ୟାମ୍ପସ ଗୁଡ଼ିକୁ ଇନକ୍ୟୁବେଟର ଭାବେ ବିକଶିତ କରାଯିବ ବୋଲି ଡ. ଦାଶ କହିଛନ୍ତି।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଡ. ଦାଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

