ବାରିପଦା,୨୪/୦୯ (ପାଇକପୁଅ)ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିଥିବା ଦୁଇଜଣ ସଶସ୍ତ୍ର ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ପୋଡ଼ାଡିହା ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ସିମିଳିପାଳ ଭିତରେ ଗୋପନୀୟ ଭାବେ ଲଗାଯାଇଥିବା ଏଆଇ କ୍ୟାମେରା ସୂଚନା ଆଧାରରେ ଏହି ଦୁଇଜଣ ଶିକାରୀଙ୍କ ଗତିବିଧି ରେକର୍ଡ ହେବାପରେ ସିମିଳିପାଳ ୱାଇଲ୍ଡଲାଇଫ ଇଣ୍ଟେଲିଜେନ୍ସ ନେଟୱର୍କର କର୍ମଚାରୀ ମାନେ ସେମାନଙ୍କୁ ଚିହ୍ନଟ କରି ଧରିଥିଲେ। ଗିରଫ ଦୁଇଜଣ ଶିକାରୀ ହେଲେ ଉଦଳା ଥାନା ଅଧୀନ ଅନନ୍ତପୁର (ତଳସରେଇ) ଗ୍ରାମର ଗସା ହୋ ଓରଫ ଲାଲା (୨୨) ଏବଂ କପ୍ତିପଦା ଥାନା ଅଧୀନ ସାନଜୁନପାଳ ଗ୍ରାମର କିଶୁନ ଟୁଡୁ ଓରଫ ସୁନା (୨୯)। ବନ ବିଭାଗ ସେମାନଙ୍କ ନିକଟରୁ ୨ଟି ଦେଶୀ ନିର୍ମିତ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ଜବତ କରିଛି। ଅଭୟାରଣ୍ୟ ମଧ୍ୟରେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ସେମାନେ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିଥିବା ଜଣାପଡ଼ିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପ ନିର୍ଦ୍ଦେଶକ କହିଛନ୍ତି।

