ଯୋଡ଼ା,୧୩/୦୮(ପାଇକପୁଅ) ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଡାପଦା ପଞ୍ଚାୟତର ଭୂୟାଁରୋଡ଼କଳାଠାରେ ଆଦିବାସୀ ହୋ ସମାଜ ସଂଗଠନ, ଲୋଇଡାପଦା ଓ ଏଲ୍.କେ.ବି. ଫୁଟବଲ କ୍ଲବ ପକ୍ଷରୁ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ା ଉନ୍ମାଦନାର ମାହୋଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବର୍ଷା ସତ୍ତ୍ୱେ ଖେଳ ଦେଖିବା ପାଇଁ ପଡ଼ିଆରେ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା।
ପାରମ୍ପରିକ ରୀତିନୀତି, ଆଦିବାସୀ ପରମ୍ପରା ଓ ସାଂସ୍କୃତିକ ଭାବଧାରାକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି କ୍ରୀଡ଼ା ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା। ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଆଦିବାସୀ ସମାଜର ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ।
ଏହି ଅବସରରେ ସମାଜର ଐତିହ୍ୟ, ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ପିଢ଼ିକୁ ଶିକ୍ଷିତ, ସଚେତନ ଓ ସଶକ୍ତ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଯୁବପିଢ଼ିଙ୍କୁ ନିଶା ଓ ଅସାମାଜିକ କାର୍ଯ୍ୟକଳାପରୁ ଦୂରେ ରଖି କ୍ରୀଡ଼ା ମାଧ୍ୟମରେ ସେମାନଙ୍କ ପ୍ରତିଭାର ବିକାଶ କରିବା ଦିଗରେ ଏଭଳି ଆୟୋଜନର ଗୁରୁତ୍ୱ ରହିଥିବା ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଯୋଡ଼ା ବ୍ଲକ ଅଧ୍ୟକ୍ଷ କୋବିନ୍ଦ୍ର ନାଏକ, ସରପଞ୍ଚ ବିଳାସିନୀ ଓରାମ, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ, ସମାଜସେବୀ ଜୁରିଆ ମୁଣ୍ଡା, ଅଶୋକ ନାଏକ, ଜମାଦାର ମୁଣ୍ଡା, ଲୋକନାଥ ଖିଲାର, ଟାଟା ଷ୍ଟିଲ ଫାଉଣ୍ଡେସନର ଦୀପକ ମହାନ୍ତଙ୍କ ସମେତ ଏଲ୍.କେ.ବି. ଫୁଟବଲ କ୍ଲବ ସଭାପତି ଗାନ୍ତାଇ ମୁଣ୍ଡା ଓ ସମ୍ପାଦକ ତପନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।ଅତିଥିମାନେ ନିଜ ଅଭିଭାଷଣରେ ଆଦିବାସୀ ସମାଜର ସାମଗ୍ରିକ ବିକାଶ, ଶିକ୍ଷାର ପ୍ରସାର, ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଏବଂ ସାମାଜିକ ଏକତାକୁ ସୁଦୃଢ଼ କରିବା ଦିଗରେ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପରେ ଅତିଥିମାନେ ଆନୁଷ୍ଠାନିକ ଭାବେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ପ୍ରତିଯୋଗିତାରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ମ୍ୟାଚ୍ରେ ଖେଳାଳିମାନଙ୍କ ଦକ୍ଷତା, ଶୃଙ୍ଖଳା, ଲଢ଼ୁଆ ମନୋଭାବ ଓ ଚମତ୍କାର ଫୁଟବଲ କୌଶଳ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏକାଧିକ ରୋମାଞ୍ଚକର ମୁକାବିଲା ପରେ ରାଜ ଥ୍ରୀ ଟ୍ରିପଲ ଫାଇଭ୍ ଓ ସତ୍ୟ ଏଲେବେନ, ଲୋଇଡାପଦା ଦଳ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।
ଫାଇନାଲ ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ଫଳାଫଳକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ଶେଷରେ ରାଜ ଥ୍ରୀ ଟ୍ରିପଲ ଫାଇଭ୍ ଦଳ ଚିତ୍ତାକର୍ଷକ ପ୍ରଦର୍ଶନ କରି ଗୋଟିଏ ଗୋଲ୍ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା।ଫାଇନାଲ ମ୍ୟାଚ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା। ଲଗାଣ ବର୍ଷାକୁ ଖାତିର ନକରି ଅଞ୍ଚଳର ବିଭିନ୍ନ ସ୍ଥାନରୁ ହଜାର ହଜାର କ୍ରୀଡ଼ାପ୍ରେମୀ ଖେଳ ପଡ଼ିଆରେ ଏକତ୍ରିତ ହୋଇଥିଲେ। ଦର୍ଶକଙ୍କ ତାଳି, ହୋହଲ୍ଲା ଓ ଉତ୍ସାହଭରା ସ୍ୱରରେ ସମଗ୍ର ପଡ଼ିଆ ପ୍ରକମ୍ପିତ ହୋଇଉଠିଥିଲା। ପ୍ରତିଟି ଆକ୍ରମଣ, ଗୋଲ୍ ସୁଯୋଗ ଓ ଚମତ୍କାର ପ୍ରଦର୍ଶନରେ ଦର୍ଶକଙ୍କ ଉତ୍ସାହ ଖେଳର ରୋମାଞ୍ଚକୁ ଦ୍ୱିଗୁଣିତ କରିଥିଲା।
ଖେଳ ପରିସମାପ୍ତି ପରେ ଅତିଥିମାନେ ବିଜେତା ରାଜ ଥ୍ରୀ ଟ୍ରିପଲ ଫାଇଭ୍ ଦଳକୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଓ ଗୋଟିଏ ଖାସି ପ୍ରଦାନ କରିଥିଲେ। ସେହିପରି ରନର୍ସଅପ୍ ସତ୍ୟ ଏଲେବେନ, ଲୋଇଡାପଦା ଦଳକୁ ଟ୍ରଫି ସହ ନଗଦ ୭ ହଜାର ଟଙ୍କା ଓ ଗୋଟିଏ ଖାସି ପୁରସ୍କାର ଦିଆଯାଇଥିଲା। ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ଜୁନିୟର ପେଂଥର ଏବଂ ଏମ୍.ଆର୍.ଏଫ୍ସି ଦଳକୁ ମଧ୍ୟ ଖାସି ସହ ନଗଦ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।
ଉଦ୍ଯାପନୀ ଦିବସରେ ନାଏବ ସରପଞ୍ଚ ତୁଷାର ନାଏକ, ପୂର୍ବତନ ସରପଞ୍ଚ ଚତୁର୍ଭୁଜ ନାଏକ, ସମାଜସେବୀ ରାମଚନ୍ଦ୍ର ନାଏକ, ଅଜୟ କୁମାର ମହାକୁଡ଼, ଗଣମାଧ୍ୟମ ପ୍ରତିନିଧି ଡିମ୍ପଲ ସାଣ୍ଡିଲ, ଲୋକନାଥ ଖିଲାର, ଶ୍ୟାମ ସୁନ୍ଦର ଓରାମ, ସୁମନ୍ତ ଘଣାଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ଦୁଇଦିନିଆ ଏହି ଫୁଟବଲ ପ୍ରତିଯୋଗିତାରେ କମେଣ୍ଟେଟର କ୍ଷୀରୋଦ ଗିରି ଓ ବୁଲବୁଲ ନିଜସ୍ୱ ଶୈଳୀରେ ଆକର୍ଷଣୀୟ ଓ ଜୀବନ୍ତ କମେଣ୍ଟ୍ରି ପ୍ରଦାନ କରି ଖେଳର ରୋମାଞ୍ଚ ଓ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଥିଲେ।
ଏହି ଦୁଇଦିନିଆ କ୍ରୀଡ଼ା ଆୟୋଜନ କେବଳ ଫୁଟବଲ ପ୍ରତିଯୋଗିତାରେ ସୀମିତ ନରହି ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ, ଆଦିବାସୀ ସମାଜର ଏକତା, ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ଚେତନାକୁ ଅଧିକ ସୁଦୃଢ଼ କରିବାର ଏକ ସଶକ୍ତ ମାଧ୍ୟମ ଭାବେ ପରିଗଣିତ ହୋଇଥିଲା।

