ବାରିପଦା,୧୩/୦୮(ପାଇକପୁଅ)ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ମୟୂରଭଞ୍ଜ ଜିଲ୍ଲା ତଥା ବାରିପଦାର ଅବସ୍ଥା। ବୁଧବାର ରାତିଠାରୁ ଅବିରତ ବର୍ଷା ଯୋଗୁଁ ବାରିପଦା ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି. ବିଶେଷକରି ୱାର୍ଡ ନମ୍ବର ୧,୭, ୮,୯, ୭, ୧୯,ଆଦି ଅଞ୍ଚଳରେ ରାସ୍ତାଘାଟରେ ପାଣି ଜମିବା ସହ ଅନେକ ସ୍ଥାନରେ ଘର ଭିତରକୁ ମଧ୍ୟ ବର୍ଷାପାଣି ପଶିଥିବା ଜଣାପଡ଼ିଛି।ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢ଼ୁଥିବାରୁ ସହରର ବିଭିନ୍ନ ନାଳ ଦେଇ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଛି। ଫଳରେ ତଳିଆ ଅଞ୍ଚଳ ଗୁଡ଼ିକରେ ଜଳ ଜମି ରହିବା ସହ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ରାସ୍ତାଘାଟରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।କେବଳ ବାରିପଦା ନୁହେଁ, ଲଗାଣ ବର୍ଷାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳର ଜଳବନ୍ଦୀ ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ପରିସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ବନ୍ୟା ପ୍ରଭାବିତ ଓ ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବାକୁ ତହସିଲଦାର ଓ ବିଡିଓ ମାନଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ବୁଢାବଳଙ୍ଗ ଏବଂ ଚିପଟ ନଦୀର ଜଳସ୍ତର ଅପରାହ୍ନରେ ବୃଦ୍ଧିପାଇବାରୁ ନଦୀ କୁଳିଆ ତଥା ତଳିଆ ଅଞ୍ଚଳରେ ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିଛି।ମଧୁବନ, ଝିଞ୍ଜିରୀବନ୍ଧ, ଚିପଟ ଅସ୍ତିଆ ଆଦି ଅଞ୍ଚଳର ଲୋକମାନେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କୁ ରିଲିଫ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି।ବର୍ଷା ଓ ବନ୍ୟା ଜନିତ ଜଳବନ୍ଦୀ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ବିଭିନ୍ନ ପ୍ରକାର ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

