ଯୋଡ଼ା, ୧୩ା/୦୮(ପାଇକପୁଅ) ଲଗାଣ ବର୍ଷାରେ ଖଣିନଗରୀ ଯୋଡ଼ାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଲଗାତାର ବର୍ଷା ଯୋଗୁଁ ସୁନା ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିବା ସହ ସହରର ବିଭିନ୍ନ ତଳିଆ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଅନେକ ପରିବାର ଜଳଘେରରେ ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ଠପ୍ ହେବା ସହ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି।ବନ୍ୟାଜଳ ଓ ଅବିରତ ବର୍ଷାର ପ୍ରଭାବରେ ବାଚୁ ହଟିଂ ଅଞ୍ଚଳରେ ମଣି କାରୁଆ ଓ ସରସ୍ୱତୀ ନାଏକଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଜୀବନହାନି ହୋଇନାହିଁ।
ଏପଟେ ୬ ନମ୍ବର ୱାର୍ଡର ବାଚୁ ହଟିଂକୁ ସଂଯୋଗ କରୁଥିବା ପୋଲ ଉପରେ ବନ୍ୟାଜଳ ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଲ ଉପରେ ଜଳସ୍ରୋତ ବଢ଼ିଥିବାରୁ ଅଞ୍ଚଳବାସୀଙ୍କ ଯାତାୟାତ ଏକପ୍ରକାର ବନ୍ଦ ହୋଇଯାଇଛି। ଫଳରେ ବାଚୁ ହଟିଂବାସୀ ଜଳବନ୍ଦୀ ସଦୃଶ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ପୋଲ ଉପରେ ପ୍ରଖର ସ୍ରୋତରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତକାରୀଙ୍କ ପାଇଁ ବିପଦ ଆଶଙ୍କା ମଧ୍ୟ ବଢ଼ିଛି।
ସେହିପରି ଆମ୍ବବଗାନ ଅଞ୍ଚଳରେ ବହୁ ଘର ମଧ୍ୟକୁ ବର୍ଷା ଓ ବନ୍ୟାଜଳ ପ୍ରବେଶ କରିଛି। ଘର ଭିତରେ ପାଣି ଜମି ରହିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଆସବାବପତ୍ର ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ନଷ୍ଟ ହେବାର ଆଶଙ୍କା ରହିଛି। ନଦୀ ର ଉଭୟ ପାର୍ଶ୍ଵରେ ଥିବା ଘର ଗୁଡିକରେ ପାଣି ପଶି ଯାଇ ଥିବାରୁ ଲୋକ ମାନଙ୍କୁ ମକ୍ତାବ ସ୍କୁଲ କୁ ସ୍ଥାନାନ୍ତର କରାଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। କୁଦୂର୍ ନା ଲ। ଏବଂ ହୁଡ଼ିଶାଇ ରେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ପାଣି ଜମି ବହୁ ଲୋକଙ୍କ ଘରେ ପାଣି ପଶି ଘର ର ବହୁ ଆସବାବ ପତ୍ର ନଷ୍ଟ ହୋଇଛିଏପରି ସ୍ଥିତିରେ ବର୍ଷା ଆହୁରି ଜାରି ରହିଲେ ଜଳସ୍ତର ବୃଦ୍ଧି ପାଇ ପରିସ୍ଥିତି ଅଧିକ ସଙ୍କଟଜନକ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।
ସୁନା ନଦୀର ଜଳସ୍ତର ଲଗାତାର ବୃଦ୍ଧି ପାଉଥିବାରୁ ନଦୀକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଘନୀଭୂତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଓ ପୌରପାଳିକା ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ନଜରଦାରି ବଢ଼ାଯାଇଛି। ଆବଶ୍ୟକ ସ୍ଥଳେ ପ୍ରଭାବିତ ପରିବାରଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ରିଲିଫ୍ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଇତିମଧ୍ୟରେ ସ୍ଥାନୀୟ ପ୍ରଶାସନ ଓ ପୌରନିର୍ବାହୀ ଅଧିକାରୀ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଡ଼ା ସହରର ସମସ୍ତ ବିଦ୍ୟାଳୟକୁ ଦିବା ୧ଟାରେ, ଅର୍ଥାତ୍ ମଧ୍ୟାହ୍ନ ଭୋଜନ ପରେ, ବନ୍ଦ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକଙ୍କ ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ହୋଇଥିବା ବେଳେ ଆବଶ୍ୟକ ସହାୟତା ଯୋଗାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଆଗାମୀ ୧୨ ଘଣ୍ଟା ରେ ପ୍ରବଳ ବର୍ଷିବା ନେଇ ଏସ.ଆର.ସି ରେଡ଼ ୱାର୍ନିଂ ଜାରି କରିଥିବା ବେଳେ ପରିସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଥିବା ସହ ବନ୍ୟାଜଳରେ ଅନାବଶ୍ୟକ ଭାବେ ପ୍ରବେଶ ନକରିବା ଏବଂ ବିପଦପୂର୍ଣ୍ଣ ପୋଲ ଓ ନଦୀକୂଳକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି।

