ମାଲକାନଗିରି, ୦୮/୦୮ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ଓରକେଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରାଚାଲାଣ ହେଉଥିବା ବେଳେ ୯୨ ଲିଟର ବିଦେଶୀ ମଦ ଜବତ କରାଯିବା ସହ ଏହି ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ସୂଚନା ଅନୁଯାୟୀଏଏସଆଇ ସୁରେଶ ଚନ୍ଦ୍ର ବିଶିମାଝୀଙ୍କ ନେତୃତ୍ୱରେ ଓରକେଲ ପୋଲିସ ଟିମ୍ ସୋରଲୁକୋଣ୍ଡା-ବେଜିଂଗୁଡ଼ା ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ତେନ୍ତୁଳିଗୁଡ଼ା ନିକଟରେ ଜଣେ ବ୍ୟକ୍ତି ବସ୍ତା ଧରି ସନ୍ଦେହଜନକ ଭାବେ ଛିଡ଼ା ହୋଇଥିବା ପୋଲିସ ନଜରକୁ ଆସିଥିଲା। ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯିବାବେଳେ ସେ ବସ୍ତା ଛାଡ଼ି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଟିମ୍ ତାଙ୍କୁ କାବୁ କରି ଧରିଥିଲା। ପରେ ବସ୍ତା ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣର ବିଦେଶୀ ମଦ ମିଳିଥିଲା। ପରେ ଦେଖିଲା ବେଳକୁ ମୋଟ ୯୨ ଲିଟର ବିଦେଶୀ ମଦ ଥିବା ଜଣାପଡ଼ିଥିଲା। ଗିରଫ ଅଭିଯୁକ୍ତ ଜଣକ ବେଜିଂଗୁଡ଼ା ଅଞ୍ଚଳର ସୁଜିତ ବାଇନ ବୋଲି ତଦନ୍ତକାରୀ ଅଧିକାରୀ ସଞ୍ଜିତ କୁମାର ଟାକରୀ ସୂଚନା ଦେଇଛନ୍ତି। ଏନେଇ ଓରକେଲ ଥାନାରେ କେସ୍ ନଂ-୨୩୦/୨୬ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି। ଚୋରା ମଦ କାରବାର ରୋକିବା ପାଇଁ ଓରକେଲ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚକୁ ଜୋରଦାର କରାଯାଇଥିବା ଜଣାପଡ଼ିଛି। ଜବତ ବିଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଥାନାଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

