ମାଲକାନଗିରି, ୦୮/୦୮ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଆଦର୍ଶ ଥାନାର ନୂତନ ଥାନାଧିକାରୀ ଭାବେ ଦେବଦତ୍ତ ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି। ସଂଘ ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଘର ସଦସ୍ୟମାନେ ଥାନାଧିକାରୀ ଶ୍ରୀ ମଲ୍ଲିକଙ୍କୁ ଭେଟି ମାଲକାନଗିରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ସହରରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା, ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରିବା ସହ ଅପରାଧ ନିୟନ୍ତ୍ରଣ ଏବଂ ଅପରାଧକୁ ଆଗୁଆ ରୋକିବା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ସଂଘ ସଭାପତି ଶ୍ରୀ ମିଶ୍ର କହିଥିଲେ ଯେ, ଜନସାଧାରଣଙ୍କ ସୁରକ୍ଷା, ସଚେତନତା ଓ ସାମାଜିକ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସବୁବେଳେ ପୋଲିସ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବ। ଏହାର ଉତ୍ତରରେ ଥାନାଧିକାରୀ ଶ୍ରୀ ମଲ୍ଲିକ ମଧ୍ୟ ସାମ୍ବାଦିକ ସଂଘକୁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ପରେ ସଂଘ ପକ୍ଷରୁ ନୂତନ ଥାନାଧିକାରୀ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ବି. ଶ୍ରୀନିବାସ ପାତ୍ରଙ୍କ ସମେତ ଗୌରୀ ଶଙ୍କର ପଣ୍ଡା, ମନୋଜ ସାହା, ଦିଲୀପ ପଟ୍ଟନାୟକ, ରାହୁଲ ଗୋଲରି, ଏମ୍. ଚନ୍ଦ୍ର ରାଓ, ରାଜେଶ ବେପାରୀ, ବୁଦ୍ଧଦେବ, କିରନ କୁମାର, ମୃଣାଲ ମଣ୍ଡଳଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

