ମାଲକାନଗିରି,୦୮/୦୮ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାଇରାଲ ହୋଇଥିବା ନକଲି ନିଯୁକ୍ତି ବିଜ୍ଞପ୍ତିକୁ ନେଇ ପୁଲିସର ତତ୍ପରତା ଦେଖାଦେଇଛି। ଏହି ଘଟଣା ରେ ପୋଲିସ ଭୁବନେଶ୍ୱର ରୁ ଜଣଙ୍କୁ ଗିରଫ କରିଥିବା ନେଇ ଆଜି ଜିଲ୍ଲା ସଦର ଆଦର୍ଶ ଥାନାରେ ଏସଡିପିଓ ଦିବ୍ୟରଞ୍ଜନ ଦଳେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚାକିରି ଦେବା ନାମରେ ଠକେଇ ଉଦ୍ଦେଶ୍ୟରେ ଏଭଳି ନକଲି ବିଜ୍ଞପ୍ତି ପ୍ରସାର କରାଯାଉଥିବା ସୂଚନା ପାଇବା ପରେ ପୁଲିସ ପକ୍ଷରୁ ପ୍ରଥମେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନକଲି ନିଯୁକ୍ତି ବିଜ୍ଞପ୍ତିର ଶିକାର ନହେବା ପାଇଁ ସତର୍କ କରିଥିବା ସେ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ କୌଣସି ପ୍ରକୃତ ଚାକିରି ଆଶାୟୀ ଠକେଇର ଶିକାର ହୋଇଛନ୍ତି କି ନାହିଁ, ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ମିଳିଥିବା ସୂଚନା ଆଧାରରେ ଗତ ୪ ତାରିଖରେ ପୋଲିସ ଏନେଇ ନିଜ ପକ୍ଷରୁ ମାମଲା ରୁଜୁ କରାଇଥିଲା। ମାମଲା ରୁଜୁ ପରେ ପୁଲିସର ଏକ ସ୍ୱତନ୍ତ୍ର ଦଳ ତୁରନ୍ତ ତଦନ୍ତ ଆରମ୍ଭ କରି ନକଲି ବିଜ୍ଞପ୍ତିରେ ଦିଆଯାଇଥିବା ଯୋଗାଯୋଗ ନମ୍ବରଗୁଡ଼ିକର ଖୋଳତାଡ଼ କରିଥିଲା।
ଏହି ତଦନ୍ତ ଆଧାରରେ ପୁଲିସ ଭୁବନେଶ୍ୱର ରୁ ବିଶ୍ୱଜିତ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ବେଳେ ଏକାଧିକ ବ୍ୟାଙ୍କ ଖାତା ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ଖାତାଗୁଡ଼ିକ ମାଧ୍ୟମରେ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଘଟଣାରେ ଏକାଧିକ ବ୍ୟାଙ୍କ ଖାତା ଓ ଆର୍ଥିକ କାରବାରର ସମ୍ପୃକ୍ତି ଥିବା ଜଣାପଡ଼ିଥିବା ବେଳେ ଏହାର ପ୍ରକୃତ ଚିତ୍ର ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ନକଲି ନିଯୁକ୍ତି ବିଜ୍ଞପ୍ତିର ପ୍ରଲୋଭନ ଦେଖାଇ କାହାଠାରୁ ଟଙ୍କା ନିଆଯାଇଛି କି ନାହିଁ, ଟଙ୍କା ନେଣଦେଣ ପାଇଁ କେଉଁ ନମ୍ବର କିମ୍ବା ଖାତା ବ୍ୟବହାର ହୋଇଛି, ସେସବୁ ଦିଗକୁ ମଧ୍ୟ ପୁଲିସ ତଦନ୍ତର ପରିସରଭୁକ୍ତ କରିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ନକଲି ନିଯୁକ୍ତି ବିଜ୍ଞପ୍ତି ମାଧ୍ୟମରେ କେତେଜଣ ଚାକିରି ଆଶାୟୀଙ୍କୁ ଠକେଇର ଶିକାର କରାଯାଇଛି, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି। ତଦନ୍ତରେ ଠକେଇର ପ୍ରମାଣ ମିଳିଲେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ମାଲକାନଗିରି ଏସ ଡି ପିଓ ଦିବ୍ୟରଞ୍ଜନ ଦଳେଇ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଆଦର୍ଶ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଉପସ୍ଥିତ ଥିଲେ।

