ମାଲକାନଗିରି,୦୮/୮ (ସୁଧାଂଶୁ ଶେଖର ମହାନ୍ତି)
ରାଞ୍ଚି–ବିଜୟୱାଡା କରିଡ଼ରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପୋଲ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଛି। ପୋଲ ଉପରେ ବିଭିନ୍ନ ସ୍ଥାନରେ ସିମେଣ୍ଟ ବାହାରି ଯାଇ ଗଭୀର ଖାଲଖମା ସୃଷ୍ଟି ହେବା ସହ ଲୁହା ରଡ଼ ଉପରକୁ ବାହାରି ଆସିଥିବାରୁ ପ୍ରତିଦିନ ଏହି ରାସ୍ତାରେ ଚଳାଚଳ କରୁଥିବା ଶହ ଶହ ଯାନବାହନ ଚାଳକଙ୍କ ପାଇଁ ଏହା ବଡ଼ ବିପଦ ସାଜିଛି। ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ବସ, ଟ୍ରକ୍, ଭାରୀ ଯାନ, କାର ଓ ବାଇକ ସମେତ ଶହ ଶହ ଗାଡ଼ି ଚଳାଚଳ କରୁଥିବା ବେଳେ ପୋଲ ଉପରେ ସୃଷ୍ଟି ହୋଇଥିବା ଗର୍ତ୍ତ ଓ ବାହାରକୁ ଉଠିଥିବା ଲୁହ ରଡ଼ ଯୋଗୁଁ ଯାନବାହନର ଚକ ପଡ଼ି ବାରମ୍ବାର ଟାୟାର ପଙ୍କଚର ହେଉଥିବା ଚାଳକମାନେ ଅଭିଯୋଗ କରିଛନ୍ତି। ବର୍ଷା ଦିନରେ ଗର୍ତ୍ତରେ ପାଣି ଜମି ରହୁଥିବାରୁ ବିପଦ ଆହୁରି ବଢ଼ିଯାଇଛି। ସ୍ଥାନୀୟ ଲୋକ ଓ ଯାନଚାଳକମାନଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସମ୍ପୃକ୍ତ ଏନଏଚ୍ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ମରାମତି କରାଯାଇନାହିଁ। ଯଦି ତୁରନ୍ତ ଏହି ପୋଲର ମରାମତି କରାନଯାଏ ତେବେ ଯେକୌଣସି ସମୟରେ ଏକ ବଡ଼ ଦୁର୍ଘଟଣା ଘଟି ଧନଜୀବନର କ୍ଷତି ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ତେଣୁ ସାଧାରଣ ଲୋକ ଓ ଯାନ ଚାଳକମାନେ ତୁରନ୍ତ କାଙ୍ଗୁରୁକୋଣ୍ଡା ପୋଲର କ୍ଷତିଗ୍ରସ୍ତ ଅଂଶର ମରାମତି କରି ଯାତାୟାତକୁ ସୁରକ୍ଷିତ କରିବା ପାଇଁ ଏନଏଚ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

