ମାଲକାନଗିରି, ୨୭।୦୯ (ପାଇକପୁଅ)ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କ ବିରୋଧରେ ଦୀର୍ଘଦିନ ଧରି ଆୟ ତୁଳନାରେ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାକୁ ଆଧାର କରି ରବିବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏକକାଳୀନ ଭାବେ ୬ଟି ସ୍ଥାନରେ ଚଢ଼ାଉ ଚଳାଯାଇଛି। ଚଢ଼ାଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ତାଙ୍କ ମାଲକାନଗିରି ଡିଆରଡିଏ ସ୍ଥିତ କାର୍ଯ୍ୟାଳୟ, ଭଡା ରେ ରହୁଥିବା ଘର ମଧ୍ୟ ସାମିଲ ରହିଛି। ଏହି ଅଭିଯାନରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ଜଣେ ଇନ୍ସପେକ୍ଟରଙ୍କ ସମେତ ଅନେକ ଭିଜିଲାନ୍ସ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ତଲାସି ସମୟରେ ବହୁମୂଲ୍ୟର ୬ଟି ଜମି, ଦୁଇଟି ବହୁତଳ କୋଠା, ବ୍ୟାଙ୍କ ଜମା ରାଶି ଓ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ଦଲିଲପତ୍ର ଯାଞ୍ଚ କରାଯାଉଛି। ପ୍ରାଥମିକ ତଦନ୍ତରେ ତାଙ୍କ ନାମରେ ଏକାଧିକ ମୂଲ୍ୟବାନ ଜମି ଓ ଘର ଥିବା ସୂଚନା ମିଳିଛି। ଚଢ଼ାଉ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ମୋଟ କେତେ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ ତଥ୍ୟ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।

