ଯୋଡ଼ା, ୨୨/୦୯(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସଭାଗୃହରେ ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସମସ୍ୟା ନେଇ ମୋଟ ୮୪ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ଅଧିକାଂଶ ଅଭିଯୋଗ ମୌଳିକ ସୁବିଧା, ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ ଓ ଜନସାଧାରଣଙ୍କ ଆବଶ୍ୟକତା ସହ ଜଡ଼ିତ ଥିଲା।
ଏହି ଶୁଣାଣିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଡଗଡୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି., ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ, ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।
ବିଲେଇପଦା ଅଞ୍ଚଳର ଶିଆଳିଯୋଡ଼ା ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ଜାତୀୟ ରାଜପଥର ତ୍ୱରିତ ମରାମତି ଏବଂ ରାସ୍ତାକଡ଼ରେ ଥିବା ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ଦାବି ଜଣାଇଥିଲେ।
ଲୋଇଡ଼ାପଦା ସରପଞ୍ଚ ବିଳାସିନୀ ଓରାମ ରୁଗୁଡ଼ି-କଳମଙ୍ଗ ଗ୍ରାମ୍ୟ ରାସ୍ତାର ଦୁରବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଦୀର୍ଘଦିନ ଧରି ରାସ୍ତାର ପୁନରୁଦ୍ଧାର ଦାବିରେ ଆନ୍ଦୋଳନ ହୋଇଆସୁଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ସେ ଅଭିଯୋଗ କରିଥିଲେ।
ଯୋଡ଼ାର କେନ୍ଦ୍ରୀୟ ଚିକିତ୍ସାଳୟର ପୁନରୁଦ୍ଧାର, ଶାସ୍ତ୍ରୀନଗର ଖେଳପଡ଼ିଆର ବିକାଶ ଏବଂ ତାରିଣୀ ଛକ ନିକଟରେ ଲିଜ୍ ଅବଧି ଶେଷ ହେବା ପରେ ପରିତ୍ୟକ୍ତ ଅବସ୍ଥାରେ ଥିବା କଲୋନୀକୁ ପୌରପାଳିକା ଅଧୀନକୁ ଆଣିବା ପାଇଁ ଦାବି କରିଥିଲେ। ଉକ୍ତ ସ୍ଥାନରେ ଟାଉନ୍ ହଲ୍, କଲ୍ୟାଣମଣ୍ଡପ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ରଖିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ବଡ଼ବିଲ ସିଭିଲ ସୋସାଇଟି ପକ୍ଷରୁ ବଡ଼ବିଲର ଅଚଳ ହୋଇପଡ଼ିଥିବା ନୂଆ ବସ୍ଷ୍ଟାଣ୍ଡକୁ ପୁନଃସଚଳ କରିବା ଏବଂ କୃଷକ ବଜାରକୁ ସୁବ୍ୟବସ୍ଥିତ କରିବା ପାଇଁ ଦାବିପତ୍ର ଦେଇଥିଲେ।
ଯୋଡ଼ା ହାଇସ୍କୁଲର ଶିକ୍ଷକମାନେ ବିଦ୍ୟାଳୟରେ ରୋଷେଇଶାଳା ଓ ସାଇକଲ ଷ୍ଟାଣ୍ଡ ନିର୍ମାଣ ସହ ଜରାଜୀର୍ଣ୍ଣ ଛାତର ମରାମତି ପାଇଁ ଦାବି ଜଣାଇଥିଲେ। ସେହିପରି ସେରେଣ୍ଡା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବିତ ସରକାରୀ ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରିଥିବା ନେଇ ସରପଞ୍ଚ ଅଭିଯୋଗ କରିଥିଲେ।
ଜଜାଙ୍ଗ ଓ କମଳପୁର ଅଞ୍ଚଳରୁ ଆସିଥିବା ମହିଳାମାନେ ଟ୍ରାଫିକ୍ ଜାମ୍ରେ ଫସି ଶୁଣାଣିକୁ ବିଳମ୍ବରେ ପହଞ୍ଚିବା ଫଳରେ ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ ଭେଟି ନପାରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ।
ଜଜାଙ୍ଗ ସରପଞ୍ଚ ପ୍ରିୟଙ୍କା ମାଝୀ, ସମିତିସଭ୍ୟ ଜୟନ୍ତୀ ପାତ୍ର ଓ ଆଶାକର୍ମୀ ଅଭିଯୋଗ କରିଥିଲେ ଯେ, ଜଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ କମଳପୁର ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ନିୟମିତ ଯାଉନାହିଁ। ଏହାର ପରିଣାମ ସ୍ୱରୂପ ରବିବାର ସାପ କାମୁଡ଼ିଥିବା ପାର୍ବତୀ ମୁଣ୍ଡାଙ୍କୁ ବାଇକ୍ ଯୋଗେ ଯୋଡ଼ା ସରକାରୀ ଡାକ୍ତରଖାନାକୁ ଆଣିବାକୁ ପଡ଼ିଥିଲା ବୋଲି ସେମାନେ କହିଥିଲେ।
ଆଶାକର୍ମୀ ଭାଗ୍ୟଶ୍ରୀ ବାରିକ କହିଥିଲେ ଯେ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀଙ୍କ ପାଇଁ ଜରୁରୀ ଆମ୍ବୁଲାନ୍ସ ସେବା ଅତ୍ୟନ୍ତ ଆବଶ୍ୟକ। ମାତ୍ର ଜଜାଙ୍ଗ ଓ କମଳପୁର ଅଞ୍ଚଳରେ ଏହି ସେବା ନିୟମିତ ଭାବେ ଉପଲବ୍ଧ ନ ହେବା ଯୋଗୁଁ ରୋଗୀ ଓ ପରିବାରବର୍ଗଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀଙ୍କୁ ଭେଟି ନପାରି ଜଜାଙ୍ଗର ମହିଳାମାନେ ପ୍ରଥମେ ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କୁ ଭେଟିଥିଲେ। ନାଏକ କହିଥିଲେ ଯେ, ଜିଲ୍ଲା ପରିଷଦ ବୈଠକ ଓ ବିଭିନ୍ନ ମିଳିତ ଅଭିଯୋଗ ଶୁଣାଣିରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ (ଡିଏମ୍ଏଫ୍) ଅର୍ଥରୁ ଯୋଡ଼ା ବ୍ଲକକୁ ଆଉ ୩ଟି ଆମ୍ବୁଲାନ୍ସ ଯୋଗାଇବା ପାଇଁ ବାରମ୍ବାର ଦାବି କରାଯାଉଛି।
ଏଥିସହ ବାସୁଦେବପୁର, ବଡ଼ବିଲ, ଯୋଡ଼ା, କାଳୀମାଟି ଓ ଗୁଆଲି ଆଦି ଅଞ୍ଚଳର ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ମଧ୍ୟ ଦାବି ହୋଇଆସୁଥିବା ସେ କହିଥିଲେ। ତେବେ ଏ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଉନଥିବା ସେ ଅଭିଯୋଗ କରିଥିଲେ।
ଅଭିଯୋଗପତ୍ର ଗ୍ରହଣ କରି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ କହିଥିଲେ ଯେ, ଲୋକଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଖୁବ୍ଶୀଘ୍ର ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନିଆଯିବ।
ଅଭିଯୋଗ ଶୁଣାଣି ଶେଷରେ ବ୍ଲକ ପରିସରରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇସାଇକଲ୍ ପ୍ରଦାନ କରାଯାଇଥିଲା।

