ମାଲକାନଗିରି, ୨୧/୯ (ପାଇକପୁଅ)ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ସୋମବାର ମତ୍ସ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ, ଆଗାମୀ କାର୍ଯ୍ୟପନ୍ଥା ଓ ଜନସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଦଳର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ଓ ଏହା ଅଧୀନରେ ହେଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏଥିସହ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥସ୍ତରରେ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଓ ଖାଦ୍ୟ ନିରାପତ୍ତା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ। ତେବେ ଏହି ସମ୍ପର୍କରେ ବୈଠକରେ ଉପସ୍ଥାପିତ ଦାବି ଓ ତଥ୍ୟଗୁଡ଼ିକୁ ଦଳୀୟ ନେତାମାନଙ୍କ ମତାମତ ଭାବେ ଉଲ୍ଲେଖ କରାଯାଇଛି। ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ, ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ିଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି, ସମ୍ପାଦକ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ ଓ ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରାୟଙ୍କ ସମେତ ବିଭିନ୍ନ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ମିଡିଆ, ସୋସିଆଲ ମିଡିଆ ଓ ଆଇଟି ବିଭାଗର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ୨୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ଦଳ ପକ୍ଷରୁ କୁହାଯାଇଛି। ବୈଠକ ଶେଷରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦଳୀୟ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

