ମାଲକାନଗିରି, ୨୧/୯ (ପାଇକପୁଅ)ଲଗାଣ ବର୍ଷା ପରେ ବିଦ୍ୟୁତ୍ ବ୍ୟବସ୍ଥା ସ୍ୱାଭାବିକ ହୋଇନଥିବାରୁ କୁଡୁମୁଲୁଗୁମା ଅଞ୍ଚଳବାସୀ ଏବେ ବିଦ୍ୟୁତ୍ ବିଭ୍ରାଟରେ ହନ୍ତସନ୍ତ। ଦୀର୍ଘ ସମୟ ଧରି ବିଦ୍ୟୁତ୍ ନଥିବା ସହ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ସାଧାରଣ ଜନଜୀବନ ସହ ବିଭିନ୍ନ ସରକାରୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହି ୧୯ ତାରିଖ ରାତି ପ୍ରାୟ ୧୧ଟାରେ ଆସିଥିଲା। ଏହାପରେ ୨୦ ତାରିଖରୁ ପୁଣି ବାରମ୍ବାର ବିଦ୍ୟୁତ୍ ବିଚ୍ଛିନ୍ନ ହେଉଛି। ଫଳରେ ବିଦ୍ୟାଳୟର ପାଠପଢ଼ା, ଡାକ୍ତରଖାନାର ସେବା, ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ କାର୍ଯ୍ୟ ଓ କୋର୍ଟ ସମ୍ପର୍କିତ କାମ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, କୁଡୁମୁଲୁଗୁମା ସହରଠାରୁ ପ୍ରାୟ ଏକ କିଲୋମିଟର ଓ ବିଦ୍ୟୁତ୍ ଗ୍ରିଡ୍ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକ ସିମେଣ୍ଟ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି। ଭଙ୍ଗା ଖୁଣ୍ଟ ବଦଳାଇ ନୂତନ ଖୁଣ୍ଟ ପୋତିବା ପାଇଁ ସମୟ ଲାଗୁଥିବାରୁ ବିଦ୍ୟୁତ୍ ସମସ୍ୟା ଦୂର ହୋଇପାରୁନଥିବା କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ପ୍ରାୟ ୭ କିଲୋମିଟର ଦୂରର ଅନ୍ୟ ଏକ ଲାଇନ୍ରୁ ସାମୟିକ ଭାବେ ବିଦ୍ୟୁତ୍ ଯୋଗାଣ କରାଯାଉଥିବାରୁ ଲୋ-ଭୋଲଟେଜ୍ ଓ ବିଦ୍ୟୁତ୍ ବ୍ୟାଘାତ ସମସ୍ୟା ରହିଥିବା ଜଣାପଡ଼ିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ତେବେ ଗ୍ରିଡ୍ ପରିସରରେ ଅନେକ ନୂତନ ସିମେଣ୍ଟ ଖୁଣ୍ଟ ପଡ଼ିଥିବା ସତ୍ତ୍ୱେ ଭଙ୍ଗା ଖୁଣ୍ଟ ବଦଳାଇବାରେ ବିଳମ୍ବ କାହିଁକି ହେଉଛି, ତାହାକୁ ନେଇ ଉପଭୋକ୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ମରାମତି କରି ସ୍ଥାୟୀ ଭାବେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

