ମାଲକାନଗିରି, ୨୦/୦୮ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକରେ ଆରଡି ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାର ନିମ୍ନମାନର ନିର୍ମାଣ ନେଇ ଉଠିଥିବା ଅଭିଯୋଗର ତଦନ୍ତ ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଏନକ୍ୟୁଏମ୍ (NQM) ଟିମ୍ ଖଇରିପୁଟର ବିଭିନ୍ନ ରାସ୍ତାର ନିର୍ମାଣ ମାନ ଯାଞ୍ଚ କରୁଥିବାବେଳେ ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଦ୍ୱିତୀୟ ଦିନରେ ଖଇରିପୁଟରୁ ଅଁଳାଭାଟାକୁ ସଂଯୋଗ କରୁଥିବା ଆରଡି ରାସ୍ତାର ଯାଞ୍ଚ ଚାଲିଥିବା ସମୟରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂର୍ବରୁ ଆରଡି ରାସ୍ତା ନିର୍ମାଣରେ ଅନିୟମିତତା ଓ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ବିଧାୟକ ଶ୍ରୀ ଖିଲ ୧୦ରୁ ଊର୍ଦ୍ଧ୍ୱ ରାସ୍ତାର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିବା କହିଛନ୍ତି। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ ଦାବି କରାଯାଇଥିବା କିଛି ରାସ୍ତା ବଦଳରେ ଅନ୍ୟ ରାସ୍ତା ଯାଞ୍ଚ କରାଯାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଧାୟକଙ୍କ ଅଭିଯୋଗ ଅନୁସାରେ, କେତେକ ରାସ୍ତାର ପିଚୁ ଉଠି ଯାଇ ମାଟି ଦେଖାଯାଉଥିବା ବେଳେ ନିର୍ମାଣ ମାନ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଭଲ ଅବସ୍ଥାରେ ଥିବା ରାସ୍ତାଗୁଡ଼ିକୁ ଯାଞ୍ଚ ପାଇଁ ଚୟନ କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, କେନ୍ଦ୍ରୀୟ ଟିମ୍ ପକ୍ଷରୁ ରାସ୍ତା ନିର୍ମାଣର ବିଭିନ୍ନ ଦିଗକୁ ଗୁରୁତ୍ୱର ସହ ଯାଞ୍ଚ କରାଯାଇଥିଲା। ରାସ୍ତାରେ ବ୍ୟବହୃତ ମେଟାଲ, ଚିପ୍ସ ଓ ପିଚୁର ଗୁଣବତ୍ତା ଯାଞ୍ଚ ସହ ଆବଶ୍ୟକ ସ୍ଥାନରେ ରାସ୍ତା ଖୋଳି ଭିତରେ ବ୍ୟବହୃତ ସାମଗ୍ରୀର ମାନ ପରୀକ୍ଷା କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ରାସ୍ତା ନିର୍ମାଣର ପ୍ରକୃତ ମାନ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଏନକ୍ୟୁଏମ୍ ଟିମ୍ର ମୁଖ୍ୟ ସୁଧୀର କୁମାର ଆରୋରା ଓ ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ଯାଞ୍ଚ ଚାଲିଥିବାବେଳେ ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଜାତା ଦିସାରୀ, ଏସଡିଓ ଉଦିତ ନାରାୟଣ ଓ ଅସିତ ପାତ୍ର, ଯନ୍ତ୍ରୀ ପ୍ରଶାନ୍ତ ବେହେରା, କାର୍ତ୍ତିକ ନାୟକ ଓ ରାଜେନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପାତ୍ର, ଖଇରିପୁଟ ବିଧାୟକଙ୍କ ପ୍ରତିନିଧି ନିରଞ୍ଜନ ରାଜୁ ଓ ବାଲିମେଳା ବିଧାୟକଙ୍କ ପ୍ରତିନିଧି ଇସାକ୍ ଖୋସଲା ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଟିମ୍ର ଏହି ଯାଞ୍ଚକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଯାଞ୍ଚରେ ଯଦି ରାସ୍ତା ନିର୍ମାଣରେ ଅନିୟମିତତା କିମ୍ବା ନିମ୍ନମାନର କାର୍ଯ୍ୟ ପ୍ରମାଣିତ ହୁଏ, ତେବେ ଉକ୍ତ ଠିକା ସଂସ୍ଥା ବିରୋଧରେ ତୁରନ୍ତ ପଦକ୍ଷେପ ନେବା ସହ ବିଭାଗୀୟ ଅଧିକାରୀଙ୍କ ଭୂମିକାର ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଖିଲ ଦାବି କରିଛନ୍ତି।

