ବାରିପଦା, ୧୯/୦୮(ପାଇକପୁଅ) ଜନଜାତି ସମାଜର ସାଂସ୍କୃତିକ ପରିଚୟ, ପାରମ୍ପରିକ ବିଶ୍ୱାସ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ଦାବିରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବାରିପଦାରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି।ମଞ୍ଚ ପକ୍ଷରୁ ଅନୁସୂଚିତ ଜନଜାତି ତାଲିକାରୁ ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ବାଦ୍ ଦେବା ବା ଡିଲିଷ୍ଟିଂ ପାଇଁ ଦାବି ଉଠାଯାଇଛି।
ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ୭୫ ବର୍ଷ ଧରି ଜନଜାତି ସମାଜ ଏହି ଦାବି ଉଠାଇ ଆସୁଛି।ଜନଜାତି ସମାଜର ମୂଳ ପରମ୍ପରା ଓ ବିଶ୍ୱାସକୁ ପରିତ୍ୟାଗ କରି ଧର୍ମାନ୍ତରିତ ହେଉଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜନଜାତିର ସାମ୍ବିଧାନିକ ସୁବିଧା ଓ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ନୁହେଁ।ଏନେଇ ସମ୍ବିଧାନର ଅନୁସୂଚିତ ଜନଜାତି ଆଦେଶ, ୧୯୫୦ରେ ଆବଶ୍ୟକ ସଂଶୋଧନ କିମ୍ବା ସ୍ପଷ୍ଟୀକରଣ କରିବାକୁ ମଞ୍ଚ ଦାବି କରିଛି।ମଞ୍ଚର ଏକ ପ୍ରତିନିଧି ଦଳ ୨୮ ମେ ୨୦୨୬ରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଏହି ପ୍ରସଙ୍ଗରେ ଦାବିପତ୍ର ଦେଇଥିବା ସୂଚନା ଦିଆଯାଇଛି।ଜନଜାତି ସୁରକ୍ଷା ମଞ୍ଚର ରାଷ୍ଟ୍ରୀୟ ସହ-ସଂଯୋଜକ ଡକ୍ଟର ରାଜକିଶୋର ହାଂସଦା କହିଛନ୍ତି ଯେ, ଜନଜାତି ସମାଜର ଧର୍ମ, ସଂସ୍କୃତି, ପରମ୍ପରା ଓ ପରିଚୟକୁ ସୁରକ୍ଷିତ ରଖିବା ପାଇଁ ଏହି ଡିଲିଷ୍ଟିଂ ଦାବିକୁ ନେଇ ଜନଜାତି ସମାଜକୁ ସଚେତନ କରାଯିବ ବୋଲି ସେ କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜନଜାତି ସୁରକ୍ଷା ମଞ୍ଚର ରାଜ୍ୟ ଉପସଭାପତି ଭୀମଚରଣ ମାଝୀ, ରାଜ୍ୟ ସଦସ୍ୟ ଡା. ଚନ୍ଦନ ମୁର୍ମୁ, ଜିଲ୍ଲା ସଂଯୋଜକ ଫକିର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

