ବାରିପଦା,୧୯/୦୮(ପାଇକପୁଅ) କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ସାମାଜିକ ବାସନ୍ଦ ପରିବାର ନିମାଇଁ ମୁର୍ମୁ ତାଙ୍କର ସ୍ତ୍ରୀ, ଛୁଆଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।ଅଭିଯୋଗ ମୁତାବକ ନେଦାମ ଗ୍ରାମର ଗ୍ରାମମୁଖ୍ୟ (ମାଝୀବାବା) ଏବଂ ମାଝୀ ମହଲ ସଂଗଠନର କର୍ମକର୍ତ୍ତାଙ୍କ ନିର୍ଦ୍ଦେଶରେ ଶ୍ରୀ ମୁର୍ମୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇ ଗ୍ରାମବାସୀ ମାନେ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ, ଗ୍ରାମବାସୀଙ୍କ ବିଲବାଡ଼ି ଦେଇ ନିଜର ବିଲବାଡ଼ିକୁ ଯିବା ବନ୍ଦ, ସରକାରୀ ପୋଖରୀ, କୂଅ, ନଳକୂଅରୁ ପାଣିନେବା ବନ୍ଦ ଭଳି ମୌଳିକ ଅଧିକାର ଉପରେ ସିଧାସଳଖ ଆକ୍ରମଣ କରାଯାଇଛି ଏବଂ ନଳକୂପରୁ ପାନୀୟ ଜଳ ନେବାବେଳେ ସ୍ତ୍ରୀ, ଝିଅ ଓ ପୁଅକୁ ମରଣାନ୍ତକ ଆକ୍ରମଣ କରି ମୋବାଇଲ, ସାଇକେଲ,ଗରା , ଛଡ଼ାଇ ନେଇଥିବାର ଦର୍ଶାଯାଇଛି।ଏ ବାବଦରେ
ତା ୩୦.୦୫.୨୦୨୬ ରିଖରେ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ।କିନ୍ତୁ ବାସନ୍ଦ ପରିବାରକୁ ନ୍ୟାୟ, ସୁରକ୍ଷା ଦେବା ବଦଳରେ ପୋଲିସ ପ୍ରଶାସନ ତରଫରୁ ନିର୍ଯାତନା ଦିଆଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି। ତେଣୁ ଛଡାଇ ନିଆଯାଇଥିବା ଜିନିଷ ଆଜି ପର୍ଯ୍ୟନ୍ତ ପାଇପାରି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଅଭିଯୋଗକାରୀ।୭ଦିନ ମଧ୍ୟରେ ବାସନ୍ଦ ପରିବାରକୁ ତାଙ୍କର ଜିନିଷ ଫେରି ପାଇବା ସହିତ ନ୍ୟାୟ, ସୁରକ୍ଷା ବ୍ୟବସ୍ଥା କରାନଗଲେ ଏସପି କିମ୍ବା କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦିଆଯାଇଛି।

