ମାଲକାନଗିରି, ୧୨/୦୮ (ସୁଧାଂଶୁ ଶେଖର ମହାନ୍ତି)
ଦୀର୍ଘ ୩ ଦିନର ଅଭିଯାନ ପରେ ଶେଷରେ ଏମଭି-୧୦୪ ଗ୍ରାମରେ ପୋଖରୀ ଭିତରେ ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ବାଲିମେଳା ବନ ବିଭାଗ ସଫଳ ହୋଇଛି। ଚିତାପାରି-୩ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମରେ ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ବୁଧବାର କୁମ୍ଭୀରଟିକୁ ଧରାଯାଇଥିଲା। ଏହା ପରେ ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିବା ଭୟର ଅବସାନ ଘଟିଛି। ସୂଚନା ଅନୁଯାୟୀ ଗ୍ରାମର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ କୁମ୍ଭୀର ଥିବା ଦେଖିବାକୁ ମିଳିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ପରେ ବନ ବିଭାଗର ରେସ୍କ୍ୟୁ ଟିମ୍ ପୋଖରୀରେ ଜାଲ ପକାଇ ଗତ ୩ ଦିନ ଧରି କୁମ୍ଭୀରକୁ ଧରିବା ପାଇଁ ଅଭିଯାନ ଚଳାଇଥିଲେ। ବାରମ୍ବାର ଉଦ୍ୟମ ପରେ ଶେଷରେ କୁମ୍ଭୀରଟି ଜାଲରେ ଧରାପଡ଼ିଥିଲା। ଏହି ଅଭିଯାନରେ ଏସିଏଫ୍ ହିମାଂଶୁ ନାୟକଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସାମିଲ ଥିଲେ। ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବ ପ୍ରାୟ ୪ ଫୁଟ ୫ ଇଞ୍ଚ ସହ ଓଜନ ୯ କିଲୋ ୫୦୦ ଗ୍ରାମ ଏବଂ ବୟସ ପ୍ରାୟ ଅଢ଼େଇ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହା ବଉଳା ପ୍ରଜାତିର କୁମ୍ଭୀର ବୋଲି ଜଣାପଡ଼ିଛି। ମହାନନ୍ଦ ମଣ୍ଡଳଙ୍କ କହିବାନୁଯାୟୀ, କୁମ୍ଭୀରଟି ପୋଖରୀରେ ଥିବା ୯୦ରୁ ଅଧିକ ହଂସ ସମେତ ବହୁ ମାଛ ଖାଇ ଦେଇଥିଲା। ପୋଖରୀ ନିକଟସ୍ଥ ନାଳ ପୋଟେରୁ ନଦୀ ସହ ସଂଯୋଗ ଥିବାରୁ ନଦୀରୁ ଖାଦ୍ୟ ଅନ୍ୱେଷଣରେ କୁମ୍ଭୀରଟି ପୋଖରୀକୁ ପଶି ଆସିଥିବା ଅନୁମାନ କରାଯାଉଛି। ଉଦ୍ଧାର ପରେ କୁମ୍ଭୀରଟିକୁ ବାଲିମେଳା ଛକସ୍ଥିତ ବନ ବିଭାଗର ବନ୍ୟପ୍ରାଣୀ ଉଦ୍ଧାର ଗୃହକୁ ନିଆଯାଇଥିଲା। କୋରୁକୋଣ୍ଡା ସ୍ଥିତ ପ୍ରାଣୀ ଚିକିତ୍ସା ଅଧିକାରୀ ଅବିନାଶ ମାଝୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୁମ୍ଭୀରଟିକୁ ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ଛାଡ଼ି ଦିଆଯିବ ବୋଲି ଡିଏଫଓ ସାଇ କିରଣ କହିଛନ୍ତି। ଘଟଣାସ୍ଥଳରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଓ ଡିଏଫଓ ସାଇ କିରଣ ପହଞ୍ଚି ଉଦ୍ଧାର ଅଭିଯାନ ଏବଂ କୁମ୍ଭୀରର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଭଳି ବନ୍ୟପ୍ରାଣୀ ଅଞ୍ଚଳରେ ଦେଖାଗଲେ ନିଜେ ଧରିବାକୁ ଚେଷ୍ଟା ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଡିଏଫଓ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି। କୁମ୍ଭୀର ଉଦ୍ଧାର ପରେ ଗ୍ରାମବାସୀ ଆଶ୍ୱସ୍ତ ହୋଇଥିବା ବେଳେ ୩ ଦିନ ଧରି ଚାଲିଥିବା ରେସ୍କ୍ୟୁ ଅପରେସନର ସଫଳ ସମାପ୍ତି ପାଇଁ ବନ ବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

