ବାରିପଦା, ୧୨/୦୮(ପାଇକପୁଅ) ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ସାଇବର ସଚେତନ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠୂପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ତଥା ମୟୂରଭଞ୍ଜ ଜିଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବୁଧବାର ଦିନ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୟୂରଭଞ୍ଜ ସାଇବର ପୋଲିସ ଥାନା ପକ୍ଷରୁ ସ୍ଥାନୀୟ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ଡିଏସପି ଅଜୟ କୁମାର ଜେନାଙ୍କ ତତ୍ତାବଧାନରେ ପ୍ରଦୀପ କୁମାର ମାଝୀ, ଷଡାନନ ନାୟକ, ସ୍ନେହଲତା ଗିରି ଓ ପ୍ରଭାତୀ ସାହୁ ପ୍ରମୁଖ ପୋଲିସ ଇନ୍ସପେକ୍ଟରଙ୍କ ସମେତ ପୁଲିସ କର୍ମଚାରୀ ଅଂଶଗ୍ରହଣ କରି ବିଦ୍ୟାର୍ଥୀଙ୍କ ସହ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ସାଇବର ସଚେତନତା କରାଇଥିଲେ. ଅନୁରୁପ ଭାବେ ଜିଲ୍ଲାର ବାରିପଦା ସଦର ସବ-ଡିଭିଜନର ବାରିପଦା ସଦର, ବାରିପଦା ଟାଉନ, ଭଞ୍ଜପୁର, କୁଳିଅଣା, ଶୁଳିଆପଦା, ବାଙ୍ଗିରିପୋଷୀ, ଝାରପୋଖରିଆ, ଚାନ୍ଦୁଆ, ଉଦଳା ସବ-ଡିଭିଜନର ଶରତ, ଖୁଣ୍ଟା, ଉଦଳା,କପ୍ତିପଦା ଏବଂ ବେତନୋଟି ପୁଲିସ ସବ-ଡିଭିଜନର ବଡସାହି, ମୋରଡା, ବୈଶିଙ୍ଗା,ରାସଗୋବିନ୍ଦ ପୁର ଓ ବେତନଟିର ପ୍ରମୁଖ ଥାନା ଅଧିକାରୀଙ୍କ ସହଯୋଗରେ ବିଭିନ୍ନ ପ୍ରକାର ସାଇବର ସଚେତନତା କାର୍ଯ୍ୟକମ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା।ଅଜଣା ଲିଙ୍କକୁ କ୍ଲିକ ନକରିବା, କ୍ଲିକ କରିବା ପୂର୍ବରୁ ଚିନ୍ତା କରିବା, ସତର୍କ ରହିବା, ସୁରକ୍ଷିତ ରହିବା, ଜ୍ଞାନ ଆଉ ସତର୍କତା – ସାଇବର ଠକେଇରୁ ରକ୍ଷା, ଶକ୍ତ ପାସୱାର୍ଡ-ଦୃଢ଼ ସୁରକ୍ଷା ଇତ୍ୟାଦି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା।
ମୟୂରଭଞ୍ଜ ଜିଲ୍ଲାରେ ସାଇବର ସଚେତନ ଅଭିଯାନର ସଫଳ ରୂପାୟନ ପାଇଁ ସାଇବର ସେଲର ନୋଡାଲ ଅଫିସର ତଥା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଛାୟତ ଆଗାମୀ ଦିନରେ ଏହି ପ୍ରୟାସକୁ ତ୍ବରାନିତ୍ଵ କରିବା ପାଇଁ ମୟୂରଭଞ୍ଜ ପୋଲିସର ବିଭିନ୍ନ ପ୍ରୟାସକୁ ବର୍ଣ୍ଣନା କରିଥିଲେ।

