ଯୋଡ଼ା, ୦୯/୦୮(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ଠାରେ ବେଆଇନ ଭାବେ ଗଞ୍ଜେଇ ଚୋରା କାରବାର ବେଳେ ଖବର ପାଇ ଯୋଡ଼ା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯୋଡ଼ା ହନୁମାନ ହଟିଂର ଯୋଗେନ ପ୍ରଧାନ (୫୯) ଏବଂ ପଶ୍ଚିମବଙ୍ଗର ଦୁଲାଲ ଚନ୍ଦ୍ର ସରକାର (୫୫)।ଶନିବାର ଅପରାହ୍ନରେ ସବ୍-ଇନ୍ସପେକ୍ଟର ନିତେଶ କୁମାର ବେହେରାଙ୍କ ନେତୃତ୍ୱରେ ଯୋଡ଼ା ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଲାହଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।
ସୂଚନାକୁ ଆଧାର କରି ପୋଲିସ ଲହଣ୍ଡା ବସ୍ ପ୍ରତୀକ୍ଷାଳୟରେ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଅଟକାଇ ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ମୋଟ ୧୦ କେଜି ୧୮୦ ଗ୍ରାମ ଗଞ୍ଜେଇ ଠାବ ହୋଇଥିଲା। ଯାହାର ଅନୁମାଲିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପରେ ନିୟମାନୁଯାୟୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା।
ଯୋଗେନ ପ୍ରଧାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଓ ୧,୫୦୦ ଟଙ୍କା ନଗଦ ଏବଂ ଦୁଲାଲ ଚନ୍ଦ୍ର ସରକାରଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଓ ୫,୨୦୦ ଟଙ୍କା ନଗଦ ଜବତ କରାଯାଇଛି।ଏ ନେଇ ଯୋଡ଼ା ଥାନାରେ କେସ୍ ନମ୍ବର ୨୬୫/୨୦୨୬ ରୁଜୁ କରାଯାଇ ଶନିବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ସେମାନଙ୍କୁ ସମ୍ପୃକ୍ତ ଏନ୍ଡିପିଏସ୍ ଧାରାରେ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇର ଉତ୍ସ, ଚାଲାଣର ଉଦ୍ଦେଶ୍ୟ ଓ ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।

