ବାରିପଦା, ୦୬/୦୮(ପାଇକପୁଅ) ମୟୂରଭଞ୍ଜ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଓ ପରିଚାଳନାର ତଦାରଖ ପାଇଁ ଦୁଇଦିନିଆ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ। ବୁଧବାର ରାତିରେ ବାରିପଦା ସର୍କିଟ ହାଉସ ଠାରେ ରାତ୍ରିଯାପନ କରିବା ପରେ, ଆଜି ପୂର୍ବାହ୍ନ ୧୦ଟାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲା ରେ ବନ୍ୟା ପରିସ୍ଥିତି ଏବଂ କ୍ଷୟ କ୍ଷତି ନେଇ ସମୀକ୍ଷା କରିଛନ୍ତି।ଏହି ସମୀକ୍ଷା ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା, ବାଙ୍ଗରୀପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଏବଂ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ କହିଛନ୍ତି ଯେ, ଗତ ଜୁଲାଇ ୨୭ ଏବଂ ୨୮ ତାରିଖରେ ମୟୂରଭଞ୍ଜରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସଠିକ ମୁକାବିଲା ସରକାର କରିଛନ୍ତି। ଆଗାମୀ ଦିନରେ ଯେପରି ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ, ସେଥିପାଇଁ ରାଜ୍ୟର ୧୫ଟି ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ସବିଶେଷ ଯୋଜନା ପ୍ରସ୍ତୁତ ପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଛି।ଶିମିଳିପାଳ ଅଭୟାରଣ୍ୟରୁ ବୋହି ଆସୁଥିବା ଜଳରାଶି ଯୋଗୁଁ ତଳିଆ ଅଞ୍ଚଳ ଗୁଡ଼ିକ ଉପରେ ବ୍ୟାପକ ବର୍ଷାପାଣି ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହିସବୁ ସ୍ଥାନରେ ଉଚ୍ଚସ୍ତରୀୟ ପୋଲ ନିର୍ମାଣ କରାଗଲେ ବନ୍ୟା ସମସ୍ୟା ଦୂର ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।ଏଥିସହିତ ପ୍ରଭାବିତ ଅଞ୍ଚଳଗୁଡ଼ିକର କ୍ଷତିଗ୍ରସ୍ତ ଫସଲ, ଭାଙ୍ଗିଯାଇଥିବା ଘର ଓ ବିଚ୍ଛିନ୍ନ ହୋଇଥିବା ରାସ୍ତାଘାଟର ସରଜମିନ ତଦାରଖ ପାଇଁ ମନ୍ତ୍ରୀ ଓ ପ୍ରତିନିଧି ମଣ୍ଡଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି।ପ୍ରତିବର୍ଷ ବନ୍ୟାରେ କଚାଘର ଭାଙ୍ଗିବା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ସଠିକ ସର୍ଭେ ଓ ତାଲିକା ଅଭାବରୁ ଅନେକ ଗରିବ ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ତ୍ତମାନର ସରକାର ୩୭ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି।ବର୍ତ୍ତମାନର ବନ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ତୁରନ୍ତ ଆବାସ ଯୋଜନା ଅନ୍ତର୍ଗତ ସହାୟତା ଯୋଗାଇ ଦିଆଯିବ।ସରଜମିନ ତଦାରଖ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରି ଏକ ସମ୍ପୂର୍ଣ୍ଣ ଆକ୍ସନ ପ୍ଲାନ ଓ ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ସୂଚନା ଦେଇଛନ୍ତି।

