ବାରିପଦା, ୦୬/୦୮(ପାଇକପୁଅ )ଆଜି ଗୋ ଚାଷୀଙ୍କ ନିମନ୍ତେ ଓଡିଶା ସରକାରଙ୍କର କାମଧେନୁ ଯୋଜନାର ନିୟମାବଳୀରେ ସୁଧାର ଆଣିବା ପାଇଁ ମୟୁରଭଞ୍ଜ କଂଗ୍ରେସର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସେହିପରି ନିୟମିତ ଭାବେ ପିଆରଏମ ମେଡିକାଲ ଓ ହସ୍ପିଟାଲକୁ ବସ ସେବା ଯୋଗାଇବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଛି।ବର୍ତମାନ ଓଡିଶା ସରକାରଙ୍କର ନୂତନ କାମଧେନୁ ଯୋଜନା କାର୍ଯ୍ୟକାରୀ କରାଯାଇଛି. ଏହି ଯୋଜନା ନିମନ୍ତେ ୧୪୨୩. ୪୭ କୋଟି ଟଙ୍କାର ବଜେଟ ପାରିତ ହୋଇଛି।ଏହି ଯୋଜନାରେ ଯେଉଁ ନିୟମାବଳୀ ରହିଛି ସେହି ଅନୁସାରେ କୌଣସି ହିତାଧିକାରୀ ଗାଈ କିମ୍ବା ମହିଷୀ କିଣିବାରେ ସକ୍ଷମ ହୋଇପାରୁନାହାନ୍ତି।ସରକାର ଯେଉଁ ନିୟମ ରଖିଛନ୍ତି ସେଥିରେ ୧ବର୍ଷର ଟ୍ୟାଗ ଥିବା ଗାଈ କିଣିବା ପାଇଁ ତାହା ସମ୍ଭବ ହୋଇପାରୁନି। ଟ୍ୟାଗ ଥିବା ଗାଈ କିମ୍ବା ମଇଁଷି ଗୁଡିକ ୧ବର୍ଷ ହୋଇଥିବା ଦରକାର, ମାନେ ଗାଈ କିମ୍ବା ମହିଷୀ ଗର୍ଭିଣୀ ହେବାର ପରେ ୯ ମାସ ମଧ୍ୟରେ ବାଛୁରୀ ହେଉଛି, ଅବଶିଷ୍ଟ ୩ ମାସର ଦୁଗ୍ଧ ନୂତନ ଭାବେ କ୍ରୟ କରିଥିବା ଚାଷୀ ତାର ଲାଭ ହରାଉଛି। ତାଛଡା ଟେଗ ଗାଈ କିମ୍ବା ମହିଷୀର ବୟସ ଠିକ ଭାବେ ଜାଣି ନପାରି ବୁଢ଼ୀ ଗାଈ ଓ ମଇଁଷି କ୍ରୟ କରି ଚାଷୀ ମାନେ ହନ୍ତସନ୍ତ ହେଉଛନ୍ତି। ନିଜ ଅଂଚଳରେ ଟ୍ୟାଗ ଗାଈ ଓ ମଇଁଷି କ୍ରୟର ସୁବିଧା ନଥିବାରୁ ବାହାର ରାଜ୍ୟକୁ ଟେଗ ଗାଈ ଓ ମଇଁଷି କିଣିବା ପାଇଁ ଯିବାକୁ ପଡୁଛି।ବାହାର ରାଜ୍ୟରେ ଯେଉଁ ଡାକ୍ତର ଗାଈ ଓ ମଇଁଷିକୁ ଟ୍ୟାଗ କରୁଛନ୍ତି ତାହାର ଖର୍ଚ୍ଚ ୧୫ ରୁ ୨୦ ହଜାର ଅଧିକ ପଡୁଛି, ଯାହାକି ସରକାର ଯେଉଁ ସବସିଡି ଦେଉଛନ୍ତି ତାହା ବାଟମାରଣା ହୋଇ ବାହାର ରାଜ୍ୟର ଟେଗ ଗାଈ ଓ ମଇଁଷି ବିକ୍ରେତା ମାନେ ପାଉଛନ୍ତି।
ଏଣୁ ସରକାର ଯଦି ନିଜ ନିଜ ଅଂଚଳରେ ଥିବା ସିଡିଭିଓ ମାନଙ୍କୁ ଦାୟିତ୍ୱ ଦେଇ ଗାଈ ଓ ମଇଁଷି କ୍ରୟ ନିମନ୍ତେ ସୁବିଧା ସୃଷ୍ଟି କରନ୍ତେ ତେବେ ଗୋ ଚାଷୀ ମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡନ୍ତା ନାହିଁ, ସବସିଡି ଠିକ ଭାବରେ ପାଇପାରିବେ କିମ୍ବା ଆମ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ ଭେଣ୍ଡର ମାନଙ୍କୁ ଦାୟିତ୍ୱ ଦେଲେ ଉଚ୍ଚ ଜାତିର ଗାଈ ଓ ମଇଁଷି ଗୋ ଚାଷୀ ମାନେ ପାଇପାରିବେ ଏବଂ ଏହା ଦ୍ୱାରା ଗୋ – ଚାଷୀ ମାନେ ଉପକୃତ ହେବେ ଓ ଉନ୍ନତ ମାନର ଗାଈ ଓ ମଇଁଷି ପାଇ ପାରିବେ ବୋଲି କଂଗେସ ତରଫରୁ କୁହାଯାଇଛି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳର ବରିଷ୍ଠ ନେତା ବିଜନ ଦାସ, ପୂର୍ବତନ ଉପସଭାପତି ଅଶୋକ ଅଧିକାରୀ, କଂଗ୍ରେସ ନେତା ଶାନ୍ତନୁ ପାଲ, ପୂର୍ବତନ ମହିଳା ସଭାପତି ସୁସ୍ମିତା ଘୋଷଲ, ନିର୍ମଳ ପ୍ରଧାନ, ଭବାନୀ ଶଙ୍କର ସାହୁ, ଯୁବ ନେତା ନିହାର ରଞ୍ଜନ ମଢୁଆଳ, ରତିକାନ୍ତ ଚୌଧୁରୀ, କ୍ଷେତ୍ର ମୋହନ ମହାନ୍ତ ପ୍ରମୁଖ ସାମିଲ ଥିଲେ।

