ବାରିପଦା,୦୬/୦୮(ପାଇକପୁଅ)ବର୍ଷା ଋତୁରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଠିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାରିପଦା ମହାରାଜପୁରସ୍ଥିତ ମୟୁରଭଞ୍ଜ ହାୟାର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ରିତା ବିଶ୍ୱାଳ ସଭାରେ ଅଧ୍ୟକ୍ଷତା କରି ଜୀବନ ରକ୍ଷା ପାଇଁ ସଚେତନତା ହିଁ ସର୍ବୋତ୍ତମ ଉପାୟ। ବୈଜ୍ଞାନିକ ଜ୍ଞାନ ଓ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ସାପ କାମୁଡ଼ା ଜନିତ ଅନେକ ଦୁର୍ଘଟଣାକୁ ଏଡ଼ାଯାଇ ପାରିବ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଅଭିପ୍ସା ନାୟକ ଓ ଅଣୁଜୀବ ବିଜ୍ଞାନ ବିଭାଗର ମୁଖ୍ୟ ଦୀପାଞ୍ଜଳି ପାତ୍ର ଅତିଥି ଭାବେ ଯୋଗ ଦେଇ ସାପର ବିଭିନ୍ନ ପ୍ରଜାତି, ବିଷଧର ଓ ଅଣ ବିଷଧର ସାପର ପାର୍ଥକ୍ୟ, ସାପ କାମୁଡ଼ିଲେ କରଣୀୟ ଏବଂ ବର୍ଜନୀୟ ବିଷୟ, ତୁରନ୍ତ ଚିକିତ୍ସାଳୟକୁ ରୋଗୀଙ୍କୁ ନେବାର ଆବଶ୍ୟକତା ଓ ଅନ୍ଧବିଶ୍ୱାସରୁ ଦୂରେଇ ରହି ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଅଧ୍ୟାପିକା ସବିତାରାଣୀ ଦାଶ, ରୂପମଞ୍ଜରୀ ବେହେରା, ଦୀପ୍ତିଶ୍ରୀ ବେହେରା, ପ୍ରତିଭା ଦାସ ଓ ମୀରା ସେନାପତି ମଧ୍ୟ ନିଜ ବକ୍ତବ୍ୟରେ ସ୍ୱଚ୍ଛ ପରିବେଶ, ସତର୍କତା, ପ୍ରାଥମିକ ଚିକିତ୍ସା ଜ୍ଞାନ ଏବଂ ବିପଦ ସମୟରେ ଧୈର୍ଯ୍ୟ ଓ ସଠିକ ନିଷ୍ପତ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ପ୍ରଶ୍ନୋତ୍ତର ପର୍ବରେ ଛାତ୍ରଛାତ୍ରୀମାନେ ସାପ କାମୁଡ଼ା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ବକ୍ତାଦ୍ବୟ ସହଜ ଓ ବୈଜ୍ଞାନିକ କାରଣ ସହ ଉତ୍ତର ଦେଇ ସେମାନଙ୍କ ସନ୍ଦେହ ଦୂର କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଅଧ୍ୟାପିକା କବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

