ବାରିପଦା, ୧୯/୦୩(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ଓ ଅନ୍ୟାନ୍ୟ ସଂସ୍ଥାନ ଗୁଡ଼ିକରେ ଅଗ୍ନି ନିରୋଧ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ଓ ଅନ୍ୟ ସଂସ୍ଥାନ ଗୁଡ଼ିକରେ ଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ଆବଶ୍ୟକ ଭିତ୍ତିଭୂମି, ପୂର୍ବପ୍ରସ୍ତୁତି, ଅଗ୍ନି ସୁରକ୍ଷା ନିୟମାବଳୀର କଠୋର ପାଳନ, ଫାୟାର ସେଫ୍ଟି ଅଡିଟର ନିୟମିତ ପରିଚାଳନା, ଫାୟାର ଫାଇଟିଂ ଉପକରଣର ସଠିକ ସ୍ଥାପନ ଓ ରକ୍ଷଣାବେକ୍ଷଣ, ବିଦ୍ୟୁତ ସୁରକ୍ଷା, ଜଳ ଯୋଗାଣ ବ୍ୟବସ୍ଥା ଏବଂ ଆପାତକାଳୀନ ସ୍ଥିତିରେ ତ୍ଵରିତ ଓ ସମନ୍ଵିତ କାର୍ଯ୍ୟପନ୍ଥା ଅବଲମ୍ବନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ଶ୍ରୀ ସୟ ସମସ୍ତ ସମ୍ପର୍କିତ ବିଭାଗକୁ ସଂପୃକ୍ତ ସଂସ୍ଥାନଗୁଡିକରେ ଅଗ୍ନି ସୁରକ୍ଷା ମାନର ସୂଚାରୁ ରୂପେ ପାଳନ କରିବା, ସମୟ ସମୟରେ ନିରୀକ୍ଷଣ କରିବା, ମକଡ୍ରିଲ ଆୟୋଜନ କରିବା ସହିତ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି ସମସ୍ତ ସରକାରୀ ହସ୍ପିଟାଲ ଓ ସଂସ୍ଥାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବା ସହ ଅଗ୍ନି ସୁରକ୍ଷା ନିରୀକ୍ଷକ ନିଯୁକ୍ତି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ଏହି ବୈଠକରେ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ସମସ୍ତ ଉପଖଣ୍ଡ-ଜିଲ୍ଲା ଚିକିତ୍ସା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଡ଼କ ଓ ଭବନ ଏବଂ ଗ୍ରାମୀଣ ଉନ୍ନୟନ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମାନେ, ଟିପିଏନଓଡିଏଲ ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୱାଟକୋର ଜେନେରାଲ ମ୍ୟାନେଜର ଓ ସହାୟକ ଅଗ୍ନି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ।

