ବାରିପଦା,୧୯/୦୩(ପାଇକପୁଅ)ବାରିପଦା ସହରରେ ଡ୍ରେନେଜ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବରେ ରହିଥିବା ବେଳେ ବର୍ଷା ଦିନେ ସହର ବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ତେବେ ବାରିପଦା ନଗରପାଳଙ୍କ ପ୍ରୟାସ କ୍ରମେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୌର ପରିଷଦ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି। ବୃହତ୍ତର ବାରିପଦା ସହର କଳେବରକୁ ଦୃଷ୍ଟିରେ ରଖି ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ବାରିପଦା ପୋୖରପାଳିକା ପକ୍ଷରୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୋୖରପାଳିକା ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନଗରପାଳ ଶ୍ରୀ ମହାନ୍ତି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ମୟୁରଭଞ୍ଜ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ, ୱାଟକୋ ସାଧାରଣ ପରିଚାଳକ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ। ସର୍ଭେ ହୋଇ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଥିଲା. ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାମ୍ବାଦିକ ମାନେ ବୈଠକରେ ଉପସ୍ଥିତ ରହି ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ। ବାରିପଦା ସହର ବର୍ଷା ଜଳ ନିଷ୍କାସନ ବଡ଼ ସମସ୍ୟା ଥିବା ବେଳେ ସ୍ଥାୟୀ ସମାଧାନ ପାଇଁ ବାରିପଦା ପୌରପାଳିକା ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ ପରାମର୍ଶଦାତା ସଂସ୍ଥା ୟୁନିଟି ଆଇଇ କମ୍ପାନୀ ଦ୍ଵାରା ଉକ୍ତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଉକ୍ତ ମାଷ୍ଟ୍ରର ପ୍ଲାନ କମ୍ପାନୀ ପକ୍ଷରୁ ପିପିଟି ଜରିଆରେ ପ୍ରଦର୍ଶନ କରାଯାଇଥିଲା।ବର୍ଷା ଓ ବନ୍ୟା ପାଣିକୁ ନିୟନ୍ତ୍ରଣ କରିବା ପାଇଁ ସୁଗମ ଡ୍ରେନେଜ ବ୍ୟବସ୍ଥା ନିମନ୍ତେ ୨୦୨୩ରୁ ସର୍ଭେ ଆରମ୍ଭ ହୋଇଥିଲା। ବାରିପଦା ପୋୖରପାଳିକାର ୨୮ଗୋଟି ୱାର୍ଡ ଓ ଆଖପାଖ ଅଞ୍ଚଳରେ ୩ବର୍ଷ ଧରି ସର୍ଭେ କରିବା ପରେ ଏକ ବ୍ୟାପକ ଷ୍ଟର୍ମ ୱାଟର ଡ୍ରେନେଜ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ବାରିପଦା ସହରରେ ୨୧୦କିମି ପୁରୁଣା ଡ୍ରେନ ରହିଛି। ଡ୍ରେନର ସ୍ଥିତି ଅନୁଧ୍ୟାନ କରି ତାହାକୁ ସଂଯୋଗ କରି କିପରି ସମ୍ପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ହେବ ସେନେଇ ସର୍ଭେ କରାଯାଇଛି। ଏହାସହିତ ବାରିପଦା ସହରରେ ବୃଷ୍ଟିପାତ ତଥ୍ୟ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଫାଇନାଲ ସର୍ଭେ ରିପୋର୍ଟ ପ୍ରତି ୱାର୍ଡର ସ୍ଥିତି ଅନୁଯାୟୀ ୱାର୍ଡ କାଉନସିଲରଙ୍କ ମତାମତ ନେଇ ପ୍ରସ୍ତୁତ କରାଯାଇଛି।ବର୍ତ୍ତମାନ ବାରିପଦା ପୋୖରପାଳିକାର ଜନସଂଖ୍ୟା ପ୍ରାୟ ୧,୫୮,୦୦୦ ରହିଛି।ଆଗାମୀ ୩୦ବର୍ଷ ଜନସଂଖ୍ୟାକୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଇଛି।ବାରିପଦା ସହରକୁ ୬ଟି କ୍ୟାଚମେଣ୍ଟରେ ଭାଗ କରି ୪୩.୭୪ବର୍ଗ କିମି ସର୍ଭେ କରାଯାଇଛି।ସଠିକ ଭାବେ ଡ୍ରେନେଜ ନହୋଇ ପାଣି ଜମି ରହିବା ଦ୍ଵାରା ମାଟି ତଳକୁ ଯାଇ ଭୂତଳ ଜଳସ୍ତରକୁ ପ୍ରଦୂଷିତ କରୁଛି।ତେଣୁକରି ଭୂତଳ ଜଳ ଦୂଷିତ ନହେବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। ଜନସାଧାରଣଙ୍କର ସମସ୍ତ ପ୍ରକାର ସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ଦୀର୍ଘ ମିଆଦି କାର୍ଯ୍ୟକାରିତାକୁ ସ୍ୱତନ୍ତ୍ର ଦୃଷ୍ଟିରେ ରଖି ଯୋଜନାର ରୂପାୟନ ହୋଇଛି।ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଡାଟା ସଂଗ୍ରହ କରାଯାଇଛି।ଏହି ଯୋଜନାର ବିସ୍ତୃତ ଭାବେ ଆଲୋଚନା ପରେ ଡିପିଆର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।ରାଜ୍ୟ ସରକାରଙ୍କ ନିକଟରେ ଅର୍ଥ ଅନୁମୋଦନ ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ଵାରା ବର୍ଷା ଦିନେ ବାରିପଦା ସହରବାସୀ ଭୋଗୁଥିବା ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବା ଦିଗରେ ଏହି ମାଷ୍ଟର ପ୍ଲାନ ଅତ୍ୟନ୍ତ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି।
