ଯୋଡା,୨୭/୦୨(ପାଇକପୁଅ)ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆୟୋଜିତ ସବଳ କାର୍ଯ୍ୟକ୍ରମ ଅଧୀନରେ ଯୋଡ଼ାରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି। ଆର୍ଟିଫିସିଆଲ ଲିମ୍ବସ ମାନ୍ୟୁଫାକ୍ଚରିଂ କର୍ପୋରେସନ ଅଫ୍ ଇଣ୍ଡିଆ (ଏଲିମ୍କୋ) ସହଯୋଗରେ ଭାରତ ସରକାରଙ୍କ ଏଡିଆଇପି ଏବଂ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଡ଼ା ଓ ଏହାର ଆଖପାଖ ଅଞ୍ଚଳର ୨୨୨ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ପ୍ରଦାନ କରାଯାଇଛି।
ଏହି ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଟିମ୍, ଅଙ୍ଗନବାଡ଼ି କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ସହାୟତାରେ ୨୮୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ଗତ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ସ୍କ୍ରିନିଂ ଏବଂ ଯାଞ୍ଚ ଶିବିର ପରେ ୨୨୨ ଜଣଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ଫେବୃଆରୀ ୨୫ ଏବଂ ୨୬ ତାରିଖରେ ଯୋଡ଼ା,ବିଚାକୁଣ୍ଡି, ବିଲେଇପଦା ଏବଂ ଖଣ୍ଡବନ୍ଧଠାରେ ବଣ୍ଟନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଏଲିମକୋର ବୈଷୟିକ ବିଶେଷଜ୍ଞମାନେ ଉପକରଣ ଗୁଡ଼ିକର ସଠିକ୍ ବ୍ୟବହାର ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ହିତାଧିକାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଲିମିଟେଡର ଫେରୋ ଆଲୟଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି)) ମୁଖ୍ୟ ଶମ୍ଭୁନାଥ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଫଏଏମ୍ଡିର ସିନିୟର ମ୍ୟାନେଜର (ସୁରକ୍ଷା) ଅନୁଜ କୁମାର, ସିନିୟର ମ୍ୟାନେଜର (ସେଫ୍ଟି) ଜୀବିତେଶ ଅନୋଖେଙ୍କ ସମେତ ବାଲଦା ସରପଞ୍ଚ ବରୁଣ ନାୟକ, ବିରକଳା ସରପଞ୍ଚ ମୁଖା ନାୟକ ଏବଂ ପଞ୍ଚାୟତ ସମିତି ସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ ଉପସ୍ଥିତ ରହିଥିଲେ।
