କୋଣାର୍କ,୨୭/୦୨(ପାଇକପୁଅ)କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ଦଶବାଟିଆ ଗ୍ରାମର କୋଣାର୍କ – ଗୋପ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣଧୀନ ମହିଳା ବିକାଶ କେନ୍ଦ୍ର ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଖବରରୁ ପ୍ରକାଶ ଯେ ବନାଖଣ୍ଡି ଗ୍ରାମପଞ୍ଚାୟତର ଦଶବାଟିଆ ଗ୍ରାମ ଠାରେ ମହିଳା ବିକାଶ କେନ୍ଦ୍ର ଗୃହ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆର୍ଥିକ ସହାୟତାରେ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ୩୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ କରାଯାଇଛି। ଏହି ଗୃହ ନିର୍ମାଣ କରିବା ପାଇଁ ସଠିକ ଭାବେ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରା ନ ଯାଇ ବେଆଇନ ଭାବେ ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏହି କାମ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି କାର୍ଯ୍ୟରେ ନିମ୍ନମାନର ଇଟା, ଲୁଣି ବାଲି, ନିମ୍ନମାନର ସିମେଣ୍ଟ, ଲୋଗ୍ରେଡର ରଡ ସମେତ ନିମ୍ନମାନର ଆନୁଷଙ୍ଗିକ ସାମଗ୍ରୀ ବ୍ୟବହାର କରାଯାଇ ମହିଳା ବିକାଶ କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ଯ କରାଯାଇଥିବାରୁ ଏହାର ସ୍ଥାୟୀତ୍ବ ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ଗୃହ ନିର୍ମାଣ ସମ୍ବନ୍ଧିୟ ସୂଚନା ଫଳକ ମରା ନ ଯାଇ ସର୍ବ ସାଧାରଣ ଅଗୋଚରରେ ଏହି କାମ କରାଯିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗୃହ ଚାରିପଟେ ମାଟି ପୋତା, ବିଦ୍ୟୁତକରଣ କାମ, ପରିମଳ କାମ, ଝରକା ଓ କବାଟ ଅଧିକାଂଶ କାମ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଗୃହ ବାହାର ଓ ଭିତରେ ରଙ୍ଗ ବୋଳି କାମ ଶେଷ ହୋଇଛି ବୋଲି ଦର୍ଶାଇ ବିଲ ହାତେଇବା ପାଇଁ ମସୁଧା ଚାଲିଛି ବୋଲି କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ଏକ୍ସ ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଥିବା ଅଭିଯୋଗ ନଂ-ସିଏମଓ୨୦୨୬୧୫୨୫୫୦୪ ରହିଛି ବୋଲି ଅଭିଯୋଗକାରି ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି।
