ମାଲକାନଗିରି,୨୭/୦୨ (ସୁଧାଂଶୁ ଶେଖର ମହାନ୍ତି)ଜିଲ୍ଲାପାଳ ତଥା ପ୍ରିନ୍ସିପାଲ୍ ସେନସସ୍ ଅଫିସର ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ମଡେଲ ଡିଗ୍ରୀ କଲେଜ ଠାରେ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଆଗାମୀ ଅପ୍ରିଲ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁରୂପେ ସମ୍ପନ୍ନ କରିବା ପାଇଁ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ। ଏଥି ନିମନ୍ତେ ଏପ୍ରିଲ ୧ ରୁ ୧୫ ପର୍ଯ୍ୟନ୍ତ ସ୍ୱଗଣନା କରାଯିବ। ଯେଉଁଥିରେ ସେନସସ ପୋର୍ଟାଲ ବ୍ୟବହାର କରି ଯେକୌଣସି ବ୍ୟକ୍ତି ନିଜର ସମସ୍ତ ତଥ୍ୟ ଅପଲୋଡ କରିପାରିବେ। ଯଦିଓ ଜନଗଣନା ଭାରତରେ ପ୍ରତି ୧୦ ବର୍ଷ ବ୍ୟବଧାନରେ ହେବା କଥା, ମାତ୍ର ଏହା ୨୦୧୧ ପରେ ୧୫ ବର୍ଷ ବ୍ୟବଧାନରେ ହେଉଥିବାରୁ ଜଣେ ସଚେତନ ନାଗରିକ ହିସାବରେ ନିଜର ତଥ୍ୟ ସଠିକ ଓ ସ୍ବଚ୍ଛ ଭାବେ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପଦେଶ ଦେଇଛନ୍ତି। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ ଟ୍ରେନିଂ ଅଫିସର ଭାବେ ଜନଗଣନାକୁ ସୂଚାରୁରୂପେ ସମ୍ପନ୍ନ କରିବା ପାଇଁ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣରେ ଜନଗଣନା ନିର୍ଦ୍ଦେଶାଳୟର କର୍ମଚାରୀ ମାନେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜନଗଣନା ସମ୍ପର୍କିତ ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା କରାଯାଇଛି ।ଏହି ଅବସରରେ ସିଏମଏମଏସ ର ବ୍ୟବହାର, ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ତଥ୍ୟ ସଂଗ୍ରହ, ଡାଟାର ସଠିକତା ଓ ସମୟୋପଯୋଗୀ ରିପୋର୍ଟ ଉପରେ ଜୋର୍ ଦିଆଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀ, ଚାର୍ଜସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଜନଗଣନା କାର୍ଯ୍ୟକୁ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ଦିଗନିର୍ଦ୍ଦେଶ ଗ୍ରହଣ କରିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଗଣନା କାର୍ଯ୍ୟ ସଠିକ୍ ଓ ପାରଦର୍ଶୀ ଭାବେ କରାଯିବା ସହ ଜନସାଧାରଣଙ୍କ ସହଯୋଗ ନିଆଯିବ । ଏହି ପ୍ରଶିକ୍ଷଣ ଆୟୋଜନ କରିବାରେ ଡେପୁଟି ସେନସସ୍ ଅଫିସର ମୁନା ତୁରୁକ୍ ସହଯୋଗ କରିଥିଲେ।
