ମାଲକାନଗିରି,୨୬/୦୨ (ସୁଧାଂଶୁ ଶେଖର ମହାନ୍ତି)ମଣ୍ଡି ପରିଚାଳନା ଓ ଧାନ କ୍ରୟକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନ ବିରୋଧରେ ରାଜ୍ଯର ବିଭିନ୍ନ ସ୍ଥାନରେ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ବର୍ତ୍ତମାନ ଏହି ସମାନ ଅଭିଯୋଗ ଆଣି ମାଲକାନଗିରି ଜିଲ୍ଲାରେ ଉତ୍ୟକ୍ତ ଚାଷୀ ରାଜରାସ୍ତା କୁ ଓଲ୍ହାଇ ଆଜି ପ୍ରତିବାଦ କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଏବଂ ପୋଟରେଲ ଛକରେ ଦେଖିବାକୁ ମିଳିଛି। ମଣ୍ଡିରେ ଦୀର୍ଘ ଦିନ ହେବ ଧାନ ପଡି ରହିଥିବା ବେଳେ ଧାନ କ୍ରୟ ହେଉନଥିବାରୁ ଶେଷରେ ବାଧ୍ୟହୋଇ ଆଜି ଏପରି ରାଜରାସ୍ତା ରେ ବସ୍ତା ବସ୍ତା ଧାନ ରଖି ରାସ୍ତାରୋକ କରିଥିବା କହିଛନ୍ତି ଚାଷୀ। ଚାଷୀମାନେ ୪ ଗୋଟି ଦାବି ନେଇ ଏହି ଆନ୍ଦୋଳନ କରିଥିବା ବେଳେ ସେହି ଦାବି ଗୁଡିକ ହେଲା, ଧାନ ମଣ୍ଡିରୁ ଧାନ ଯଥାଶୀଘ୍ର ଉଠାଇବା, ଚାଷୀମାନଙ୍କର ଖାଲି ବସ୍ତା ବାବଦକୁ ୧୦ ଟଙ୍କା ଫେରାଇବା, କଟନି ଛଟନି ବନ୍ଦ କରିବା ଏବଂ ମିଲର ମାନଙ୍କ ମନମାନି ବନ୍ଦ କରିବା। ତେବେ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଏନେଇ ସେମାନେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ଗତ ୨ ଦିନ ପୂର୍ବେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା। ଆନ୍ଦୋଳନ କଲେ ମଧ୍ୟ କୌଣସି ସୁଫଳ ମିଳିବ ନାହିଁ ବୋଲି ଶ୍ରୀ ବେହେରା କହିଥିବା କିଛି ଚାଷୀ ଅଭିଯୋଗ ଆଣିଥିଲେ। ତେଣୁ ଆଜି ଚାଷୀମାନେ ଏହି ରାସ୍ତାରୋକ କରି ଆନ୍ଦୋଳନକୁ ଓଲ୍ହାଇଥିବା କହିଛନ୍ତି। ରାଜରାସ୍ତାରେ ଚାଷୀମାନେ ରାସ୍ତାରୋକ କରିବା ଦ୍ୱାରା ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ କିଛି ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ମାଲକାନଗିରି ଅତିରିକ୍ତ ଯୋଗାଣ ଅଧିକାରୀ ବିଶ୍ୱଜିତ ଦାସ, ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ ଏବଂ କୋରୁକୋଣ୍ଡା ଏମଆଇ ହରିଷ ରାମ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଚାଷୀମାନେ ସରକାର ବିରୁଦ୍ଧରେ ବିଭିନ୍ନ ନାରା ଦେବା ସହ ଚାଷୀ ଏକତା ଜିନ୍ଦାବାଦ କହି ପ୍ରତିବାଦ କରିଥିଲେ। ଅଧିକାରୀ ମାନଙ୍କୁ ଧାନ କାହିଁକି ଉଠୁ ନାହିଁ ବୋଲି ଓଲଟି ପ୍ରଶ୍ନ ପଚାରିଥିଲେ ଚାଷୀ। ଏଥିସହ ଗତ ବର୍ଷାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଭିଜି ନଷ୍ଟ ହୋଇଯାଇଛି, ତେଣୁ ମିଲର ଧାନ ନେଉ ନଥିବା କହିଥିଲେ। ଏହି ଖବର ପାଇ ସଙ୍ଗେ ସଙ୍ଗେ ଚାଷୀମାନଙ୍କ ଧାରଣା ସ୍ଥଳରୁ ଉକ୍ତ ୩ ଅଧିକାରୀ ମଣ୍ଡି ପରିଦର୍ଶନ ରେ ଯାଇ ଧାନ କେଉଁ ଅବସ୍ଥାରେ ରହିଛି ତାର ଅନୁଧ୍ୟାନ କରିଥିଲେ। ପରେ ଅଧିକାରୀମାନେ ଚାଷୀମାନଙ୍କ ଧାରଣା ସ୍ଥଳ କୁ ଆସି ବୁଝାସୁଝା କରିବା ପରେ ଏକ ଲିଖିତ ଚୁକ୍ତି ନିମନ୍ତେ ଚାଷୀ ଦାବି କରିଥିଲେ। ଆସନ୍ତା କାଲି ଚକ୍ଷୁସ୍କାନ ହୋଇ ତୁରନ୍ତ ପଡି ରହିଥିବା ୩୦୦୦ କ୍ୱିଣ୍ଟାଲ ଧାନ ମଧ୍ୟରୁ ୨୦୦୦ କ୍ୱିଣ୍ଟାଲ ଧାନ ଉଠାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଧାନ ଶେଷ ନହେବା ଯାଏଁ ମଣ୍ଡିରେ ଧାନ କ୍ରୟ ଜାରି ରହିବ ବୋଲି ଏକ ଲିଖିତ ଚୁକ୍ତି ହେବା ପରେ ଆନ୍ଦୋଳନ ରୁ ଓହରିଥିଲେ ଚାଷୀ। ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଆଜି ଏହି ଚାଷୀ ଆନ୍ଦୋଳନରେ କୋରୁକୋଣ୍ଡା ମଣ୍ଡି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପାତ୍ର, ମଣ୍ଡି ସମ୍ପାଦକ ବନମାଳୀ ପାତ୍ର, ବିଜେଡି ନେତା ସତ୍ୟ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ବିନାୟକ ପାତ୍ରଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।

