ମାଲକାନଗିରି,୨୬/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେରରେ ଏକେ ୪୭ ବନ୍ଧୁକ ସହ ମହିଳା ମାଓନେତ୍ରୀଙ୍କ ଆତ୍ମସମର୍ପଣ। ସୂଚନା ଅନୁଯାୟୀ କାଙ୍କେର ଜିଲ୍ଲାରେ ଜଣେ ମହିଳା ମାଓନେତ୍ରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ମାସେ ବର୍ସା ଏବଂ ସେ ମାଓ ସଙ୍ଗଠନରେ ଡିଭିଜନାଲ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ୨୦୦୩ ମସିହାରୁ ସେ ଦଣ୍ଡକାରଣ୍ୟ, ଆବୁଝମାଡ ଏବଂ ଉତ୍ତର ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ। ସଙ୍ଗଠନ ସହିତ ଦୀର୍ଘ ସମୟ ଧରି ଜଡିତ ରହିବା ପରେ ସଙ୍ଗଠନ ନିଜର ସ୍ଥିତି ହରାଇବା ସହ ପଥଭ୍ରଷ୍ଟ ହେଉଥିବା ଅନୁମାନ କରି ସେ ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ମାସେ ବର୍ସା ଜଙ୍ଗଲ ଅଞ୍ଚଳରୁ ସ୍ଵତପ୍ରତ ଭାବେ ବାହାରି ସିଧାସଳଖ କାଙ୍କେର ପୋଲିସ ଅଧିକ୍ଷକ ନିଖିଳ ରାଖେଚାଙ୍କ ପାଖକୁ ଯାଇ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ସମୟରେ, ସେ ତାଙ୍କ ସହିତ ଥିବା ଏକ ଏକେ-୪୭ ରାଇଫଲକୁ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଥିଲେ। ନାରାୟଣପୁର ସାମ୍ବାଦିକ ରୋଶନ ଠାକୁର ଏହି ପ୍ରକ୍ରିୟାରେ ମଧ୍ୟସ୍ଥିର ଭୂମିକା ଗ୍ରହଣ କରି ମାସେ ବର୍ସାଙ୍କୁ ସୁରକ୍ଷିତ ଭାବରେ ଜଙ୍ଗଲରୁ ବାହାରକରି ପୋଲିସ କାର୍ଯ୍ୟାଳୟରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ଆତ୍ମସମର୍ପଣ ନୀତି ଅନୁଯାୟୀ ମାସେଙ୍କୁ ଥଇଥାନ କରାଯିବା ସହ ତୁରନ୍ତ ୫୦ ହଜାରର ସହାୟତା ରାଶି ପ୍ରଦାନ କରାଯାଇଥିଲା।
