ମାଲକାନଗିରି,୧୮/୦୨ (ସୁଧାଂଶୁ ଶେଖର ମହାନ୍ତି)ସାମାନ୍ୟ ବଚସାରୁ ଆରମ୍ଭ ହେଲା ମହାଭାରତ, ଶିବରାତ୍ରି ପରଦିନ ଆଦିବାସୀ ନାଟକ ଦେଖିବାକୁ ଯାଇ ମୁଁହାମୁହିଁ ହେଲେ ୨ ଅଞ୍ଚଳର ଯୁବଗୋଷ୍ଠୀ। ଶେଷରେ ଗୋଟିଏ ଅଂଚଳର ୨ ଯୁବକ ନିଜ ଅଞ୍ଚଳକୁ ଆସିଥିବା ଦେଖି କଲେ ମରଣାନ୍ତକ ଆକ୍ରମଣ। ଆକ୍ରମଣ ର ଶିକାର ହୋଇଥିବା ୨ ଯୁବକ ନିଜ ଗ୍ରାମବାସୀ ଙ୍କୁ ଖବର ଦେବା ପରେ ଆକ୍ରମଣ କରିଥିବା ୨ ଯୁବକଙ୍କ ଘର ସମ୍ମୁଖରେ ପହଁଚିଲେ ୩ ଗ୍ରାମର ଶତାଧିକ ଗ୍ରାମବାସୀ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ। ମିଳିଥିବା ସୂଚନାନୁଯାୟୀ ଗତ ସୋମବାର ବାଲିମେଳା ଛକ ନିକଟରେ ଥିବା ଶିବ ମନ୍ଦିରରେ ଆଦିବାସୀ ନାଟକ ର ଆୟୋଜିତ ହୋଇଥିଲା। ସେହି ନାଟକ ଦେଖିବା ନିମନ୍ତେ ବାଲିମେଳା ଅଞ୍ଚଳର ୨ ଯୁବକ ଯାଇଥିଲେ। ଇତି ମଧ୍ୟରେ କୌଣସି କାରଣକୁ ନେଇ ନିକଟସ୍ଥ ଚିତାପାରୀ-୧ ଗ୍ରାମର କିଛି ଯୁବକ ଙ୍କ ସହ ଉକ୍ତ ରାତ୍ରିରେ ବାଲିମେଳାର ୨ ଯୁବକଙ୍କ ଧସ୍ତାଧସ୍ତି ହୋଇଥିଲା। ପରେ ଉକ୍ତ ଘଟଣାକୁ ମନେ ରଖି ଆଜି ସକାଳ ସମୟରେ ବାଲିମେଳା ସହରର ଏକ ମୋବାଇଲ ଦୋକାନକୁ ଚିତାପାରୀ-୧ ଗ୍ରାମର ୨ ଯୁବକ ମୋବାଇଲ କିଣିବା ନିମନ୍ତେ ଆସିଥିବା ଦେଖି ବାଲିମେଳା ର ୨ ଯୁବକ ସେମାନଙ୍କ ମୁଣ୍ଡ ପଥରରେ ଛେଚିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଆକ୍ରମଣର ଶିକାର ହୋଇଥିବା ୨ ଯୁବକ ନିଜ ଗ୍ରାମକୁ ଫୋନ ଯୋଗେ ଖବର ଦେବା ପରେ ଚିତାପାରୀ-୧ ସମେତ ବାଲି କଲୋନୀ, ସଦାଶିଵପୁର, ପୁରୁଣା ବାଲିମେଳା ଏହିଭଳି ବିଭିନ୍ନ ଗ୍ରାମରୁ ଶତାଧିକ ଲୋକେ ଆସି ବାଲିମେଳା ସହରରେ ଖଣ୍ଡା କାତି ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପହଞ୍ଚିଥିଲେ। ୧୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉକ୍ତ ୨ ଯୁବକଙ୍କ ଘର ବାଲିମେଳା ସହରର ହାଇସ୍କୁଲ ସମ୍ମୁଖରେ ରହିଥିବା ବେଳେ ସେମାନଙ୍କ ଘର ନିକଟକୁ ଉତ୍ୟକ୍ତ ଗ୍ରାମବାସୀ ଯିବା ସମୟରେ ଓରକେଲ ପୋଲିସ ଏନେଇ ଖବର ପାଇଥିଲା। ଖବର ପାଇ ଓରକେଲ ପୋଲିସ ର ଏକ ଟିମ ବାଲିମେଳା ସହରର ବସ ଷ୍ଟାଣ୍ଡ ନିକଟରେ ସମସ୍ତ ଗ୍ରାମବାସୀ ଙ୍କୁ ଆଇନ କୁ ହାତକୁ ନ ନେବାକୁ କହି ଅଟକାଇ ରଖିଥିଲା। କୋରୁକୋଣ୍ଡା ବ୍ଲକ ଚେୟାରମ୍ୟାନ ଜିତୁ ବୁରୁଡ଼ି ଉତ୍ୟକ୍ତ ଗ୍ରାମବାସୀ ଙ୍କ ସହ ଉପସ୍ଥିତ ଥିବାବେଳେ ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ପହଂଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ଆଇନ କୁ ହାତକୁ ନ ନେବାକୁ କହିଥିଲେ। ଏହାପରେ ଉତ୍ୟକ୍ତ ଗ୍ରାମବାସୀ ଆକ୍ରମଣ କରିଥିବା ୨ ଯୁବକ ଦୀପକ ଖିଲ ଏବଂ ପିଣ୍ଟୁ ବାଘ ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଓରକେଲ ଥାନାରେ ପ୍ରଦାନ କରିଥିଲେ। ଏନେଇ ପୋଲିସ ପକ୍ଷରୁ ୫୧/୨୬ରେ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଅଞ୍ଚଳରେ ଶାନ୍ତି ଫେରି ଆସିଥିବା ବେଳେ ତୁରନ୍ତ ଉଭୟ ଆକ୍ରମଣକାରୀ ଙ୍କୁ ପୋଲିସ ଗିରଫ କରିବା କୁ ଉତ୍ୟକ୍ତ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆମେ ଓରକେଲ ଥାନା ଏସଆଇ ଅଜିତ ସିଂ ବରିହା ଙ୍କୁ ପଚାରିବାରୁ ସେ ପ୍ରାଥମିକ ତଦନ୍ତ ଚାଲିଥିବା କହି ୨୪ ଘଣ୍ଟା ମଧ୍ୟରେ ଉକ୍ତ ୨ ଆକ୍ରମଣକାରୀ ଙ୍କୁ ଗିରଫ କରିବେ ବୋଲି ସୂଚନା ଦେଇଛନ୍ତି।
