ମାଲକାନଗିରି,୧୪/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ବିଜେଡି। ଚଳିତ ଖରିଫ ଋତୁ ଧାନ ସଂଗ୍ରହ ସମୟରେ ରାଜ୍ୟର ଅନ୍ନଦାତା ମାନେ ବ୍ୟବସ୍ଥାଗତ ଶୋଷଣ, ପ୍ରଶାସନିକ ଉଦାସୀନତା ଓ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଜନିତ କଷଣର ସମ୍ମୁଖୀନ ହେଉଛନ୍ତି। ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ୨ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଚାଷୀ ଭାଇଭଉଣୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି, ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ଚାଷୀଙ୍କ ପାଇଁ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି। ଅନ୍ନଦାତାଙ୍କଠାରୁ ବିନା କୌଣସି ଅସୁବିଧାରେ ଧାନ ସଂଗ୍ରହ କରିବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ଆଦ୍ରତା ଓ ନିମ୍ନମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କିଲୋ ପର୍ଯ୍ୟନ୍ତ କଟନୀ-ଛଟନୀ କରିବା ପରିତାପର ବିଷୟ ବୋଲି ଦଳ ପକ୍ଷରୁ ଅଭିଯୋଗ କରି ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ମିଲର ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶ୍ରୁତିର ଏହା ଏକ ଉଦାହରଣ ଏବଂ କେବେ ଏ କଟନୀ-ଛଟନୀ ବନ୍ଦ ହେବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ସେହିପରି ରାଜ୍ୟର ସବୁ ଚାଷୀ ଭାଇଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍ ସବ୍ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ବିଜେପି ସରକାର ଏହି ସବ୍ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଧାର୍ଯ୍ୟ କରିବା, ପ୍ରତିଶ୍ରୁତି ଭଙ୍ଗର ନିଚ୍ଛକ ଉଦାହରଣ। ଯାହାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଆଜି ବିକ୍ଷୋଭ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ସମ୍ମୁଖରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ଵ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗଲୁ, ବିଜେଡି ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ପଣ୍ଡା, ବିଜେଡି ଜିଲ୍ଲା ଉପସଭାପତି ଉଦୟ ନାଥ ମାଦ୍ରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀନିବାସ ମୁଦୁଲି, ଜିଲ୍ଲା ବିଜେଡି ମହିଳା ସଭାପତି ଲକ୍ଷ୍ମୀପ୍ରିୟା ନାୟକ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ବରିଷ୍ଠ ବିଜେଡି ନେତା ଗୋପାଳ ପଣ୍ଡା ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, ଦଳର ସମସ୍ତ କର୍ମକର୍ତ୍ତା ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଏହି ବିକ୍ଷୋଭ କରିବା ସହ ଚାଷୀଙ୍କ ସମସ୍ୟା ଦୂର ପାଇଁ ଏକ ଦାବିପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ପ୍ରଦାନ କରିଥିବା କହିଛନ୍ତି।
