ମାଲକାନଗିରି,୧୨/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନାଗିରି ଜିଲ୍ଲା ସଦର ସ୍ଥିତ କୁମୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଦିନ ପ୍ରାୟ ୩ ଟା ସମୟରେ ଏକ ଅଜଣା ଯୁବକ ପାଚେରୀ ଡେଇଁ ସ୍କୁଲ ମଧ୍ୟରେ ଅଚାନକ ପ୍ରବେଶ କରିଥିଲେ। ତାଙ୍କ ହାତରେ ଏକ ଭଙ୍ଗା କାଚ ବୋତଲ ରହିଥିଲା। ଯୁବକ ଜଣକ ପଶିବା ମାତ୍ରେ ସ୍କୁଲ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ଉକ୍ତ ଅଜଣା ଯୁବକ ଜଣକ ଛାତ୍ର ଛାତ୍ରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ଉପରେ ଭଙ୍ଗା କାଚ ବୋତଲ ଧରି ଆଘାତ କରିବାକୁ ଚେଷ୍ଟା କରୁଥିଲା। ପ୍ରାୟ ଅଧ ଘଣ୍ଟା ଧରି ଏପରି ଚାଲିଥିବା ବେଳେ ଶେଷରେ ଶିକ୍ଷକ ଶ୍ରୀଧର ସାହୁ ନିଜ ଜୀବନକୁ ବାଜି ଲଗାଇ ଉକ୍ତ ଯୁବକ ହାତରୁ ଭଙ୍ଗା କାଚ ବୋତଲ ଛଡାଇ ନେଇଥିଲେ। ଏବଂ ସ୍ଥାନୀୟ ପୋଲିସ କୁ ଫୋନ ଯୋଗେ ଖବର ଦେଇଥିଲେ। ପୋଲିସ ଆସିବା ଶୁଣି ଉକ୍ତ ଯୁବକ ଜଣକ ସେଠାରୁ ଖସି ଦଉଡ଼ି ପଳାଇଥିଲେ। ଉକ୍ତ ଘଟଣା କୁ ନେଇ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀରାଣୀ କିର୍ତନୀୟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଉକ୍ତ ଅଜଣା ଯୁବକକୁ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି।
