ମାଲକାନଗିରି,୦୬/୦୨ (ସୁଧାଂଶୁ ଶେଖର ମହାନ୍ତି)ଏଯାଏଁ ଆରମ୍ଭ ହୋଇନି ପେଭର ରାସ୍ତା ନିର୍ମାଣ କାର୍ଯ୍ୟ, ନାମ ଫଳକରେ କିନ୍ତୁ କାମ ଆରମ୍ଭ ହୋଇ ଶେଷ ହୋଇଯାଇଥିବା ଦର୍ଶା ଯାଇଛି। ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ଚିତାପାରୀ-୩ ପଂଚାୟତ ର ଏମଭି-୧୦୪ ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ କୋରୁକୋଣ୍ଡା ପଂଚାୟତ ସମିତି ପକ୍ଷରୁ ଏମଭି-୧୦୪ ଗ୍ରାମର ରମେଶ ଏଡବାର ଙ୍କ ଘର ଠାରୁ ନିର୍ମଳ ମଣ୍ଡଳ ଙ୍କ ଘର ପର୍ଯ୍ୟନ୍ତ ୭,୪୪,୭୩୮ ଟଙ୍କା ଅଟକଳ ମୂଲ୍ୟରେ ପେଭର ରାସ୍ତା ନିର୍ମାଣ ନିମନ୍ତେ ୨୦୨୪-୨୫ରେ କାର୍ଯ୍ୟ ଆସିଥିଲା। ଉକ୍ତ ପେଭର ରାସ୍ତା ନିର୍ମାଣ କାର୍ଯ୍ୟ ଟି ୧୫.୦୬.୨୫ ରେ ଆରମ୍ଭ ହୋଇ ୧୬.୧୦.୨୫ ରେ ଶେଷ ହୋଇ ଯାଇଥିବା ନାମ ଫଳକରେ ଦର୍ଶା ଯାଇଥିବା ବେଳେ ଏଯାଏଁ ପେଭର ରାସ୍ତା ନିର୍ମାଣ ହୋଇନଥିବା ଦେଖିବାକୁ ମିଳିଛି। ନାମକୁ ମାତ୍ର ଅଳ୍ପ କିଛି ଟ୍ରାକ୍ଟର ବାଲି ମାଟି ଉପରେ ପକାଯାଇଛି। ଏଥିସହ ରାସ୍ତା ନିର୍ମାଣ କରାଯିବ ବୋଲି ଠିକାଦାର ନିଜ ମନ ମୁତାବକ ତାଳ ଗଛ ଏବଂ ଗୋଟିଏ ବିରାଟକାୟ ବୃକ୍ଷ ୧ ମାସ ପୂର୍ବରୁ ମେସିନ ଲଗାଇ ଉପାଡି ଦେଇଥିବା ଗ୍ରାମବାସୀ କହିଛନ୍ତି। ତେବେ ସବୁଠାରୁ ଚକ୍କିତ କରିବା ପରି ଘଟଣା ହେଉଛି ଏଯାଏଁ ଆରମ୍ଭ ହୋଇନି କାର୍ଯ୍ୟ କିନ୍ତୁ ଶେଷ ହୋଇଯାଇଥିବା ଦର୍ଶାଇ ପଡିଛି ମାତ୍ର କିଛି ଗାଡି ବାଲି। ତେବେ ଏହି ଅଳ୍ପ କିଛି ଗାଡି ବାଲି ପକାଇ ଆଗୁଆ ବିଲ ନେଇ ନାହାନ୍ତି ତ ଠିକାଦାର, ସେନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏନେଇ ଆମେ ପଂଚାୟତ ଅଧିକାରୀ ମନ୍ଦାକିନୀ ସାହୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଆମ ଫୋନ ରିସିଭ କରି ନଥିଲେ। ଏନେଇ ଆମେ ବିଭାଗୀୟ ଯନ୍ତ୍ରୀ ବାପୁଜି ନାୟକଙ୍କୁ ପଚାରିବାରୁ ସେ ପେଭର ରାସ୍ତା ନିର୍ମାଣ କାର୍ଯ୍ୟ ଅବଧି ୪ ମାସ ରହିଛି ତେଣୁ ନାମ ଫଳକ ରେ ଦର୍ଶାଯାଇଥିବା କହିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଟଙ୍କା ମଧ୍ୟ ଆଗୁଆ ବିଲ ଦିଆ ଯାଇନଥିବା ସେ କହିଥିଲେ। ତେବେ ତୁରନ୍ତ ଏହି ପେଭର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
