ଭୁବନେଶ୍ଵର,୦୮/୦୧(ପାଇକପୁଅ) ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ୭ମ ବାର୍ଷିକ ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି । ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥବା ଏହି ସମ୍ମିଳନୀ ଖୁବ୍ ସଫଳତାର ସହିତ ସମ୍ପନ୍ନ ହୋଇଅଛି । ପ୍ରଥମ ପର୍ଯ୍ୟାୟରେ ସାଧାରଣ ସଭା ଅନୁଷ୍ଠିତ
ହୋଇଥିଲା ଏବଂ ଉକ୍ତ ସଭାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥୁ ଭାବେ ଯୋଗଦେଇ
ଆନୁଷ୍ଠାନିକ ଭାବେ ସଭାର ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଓଡ଼ିଶା ଶକ୍ତି ବିଭାଗର ଶାସନ ସଚିବ,ବିଶାଲ କୁମାର ଦେବ, ବିଶିଷ୍ଟ ଅତିଥି ଭାବେ ଓ.ପି.ଟି.ସି.ଏଲ୍. ଅଧକ୍ଷ ଭାସ୍କରଜ୍ୟୋତି ଶର୍ମା ଓ ଅନ୍ୟତମ ଅତିଥୁ ଟାଟା ପାୱାରର ଓଡ଼ିଶା ମାନବ ସମ୍ବଳ ମୁଖ୍ୟ ଶ୍ରୀ ଶ୍ୟାମସୁନ୍ଦର ଚୌଧୁରୀ ଉପସ୍ଥିତ ଥିଲେ । ସଭାକାର୍ଯ୍ୟକୁ ଶ୍ରୀ ରାଜୀବ ମହାନ୍ତି ପରିଚାଳନା କରିଥିଲେ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ମହାସଂଘର ସଭାପତି ଶ୍ରୀ ଦିଲ୍ଲୀପ ରାୟ ଅତିଥି ମାନଙ୍କ ସମ୍ମୁଖରେ କର୍ମଚାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂହ କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । କମର୍ଚାରୀମାନଙ୍କ ଦାବିଗୁଡ଼ିକ ଯଥାକ୍ରମେ (୧) ବିଦ୍ୟୁତ୍ କର୍ମଚାରୀମାନଙ୍କୁ ଏନ୍ପିଏସ୍ ଭୁକ୍ତ କରିବା (୨) ୩୩୦୦ ଗ୍ରେଡ୍ର ଉଚ୍ଛେଦ (୩) ଆଉଟ୍ସିଂ କର୍ମଚାରୀଙ୍କୁ ରେଗୁଲାର କରିବା (୪) ବିଦ୍ୟୁତ୍ ବଣ୍ଟନ ବିଭାଗରେ କାର୍ଯ୍ୟରତ ନୂତନ କର୍ମଚାରୀଙ୍କୁ ଘରଭଡ଼ା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ (୫) ୪ଟି ବିଦ୍ୟୁତ୍ ବଣ୍ଟନ ବିଭାଗରେ ଅନ୍ତଃବଦଳି ନୀତି ପ୍ରଣୟନ (୬) ଜଳ ବିଦ୍ୟୁତ୍ରେ କାର୍ଯ୍ୟରତ
କର୍ମଚାରୀଙ୍କ କ୍ୟାଡର ରି-ଆରେଞ୍ଜମେଣ୍ଟ କାର୍ଯ୍ୟକ୍ରମ (୭) ନୂତନ ଭାବେ ନିଯୁକ୍ତିପ୍ରାପ୍ତ କର୍ମଚାରୀଙ୍କୁ ନିଜ ପଦବୀର ପରିଚୟ ପ୍ରଦାନ (୮) ସମସ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ କ୍ୟାଡର ରିଷ୍ଟ୍ରକଚରିଂ କରିବା । ସମସ୍ତ ଦାବିଗୁଡ଼ିକ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶୁଣିଲା ପରେ ଅତି ସ୍ପଷ୍ଟତାର ସହ ଉତ୍ତର ଦେଇ କହିଥିଲେ ଯେ କର୍ମଚାରୀମାନଙ୍କ ସବୁ ସମସ୍ୟାର ସମାଧାନ ପର୍ଯ୍ୟାୟକ୍ରମେ ପୂରଣ କରାଯିବ । ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ସେମାନଙ୍କ ଉଦ୍ବୋଧନରେ ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥାକୁ
ସୁଦୃଢ କରିବାରେ କର୍ମଚାରୀଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ କର୍ମଚାରୀ କଲ୍ୟାଣ, ନ୍ୟାୟସଂଗତ ଦାବି ପୂରଣ ଓ ଶକ୍ତି କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ସହଯୋଗର ଆଶ୍ୱାସନା ଦେଇଥିଲେ। ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମହାସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏହି ନିର୍ବାଚନରେ ଦିଲ୍ଲୀପ ରାୟ ପୁର୍ନବାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅମର ଜୁମର ପ୍ରତାପ ସିଂ, ସହ ସାଧାରଣ ସମ୍ପାଦକ ପ୍ରିୟବ୍ରତ ନାୟକ, ସମ୍ପାଦକ ଓପିଟିସିଏଲ୍ ପାଇଁ ପ୍ରଭାକର ଶତପଥ, ଟିପିସିଓଡିଏଲ୍ ପାଇଁ ବିଜୟ ଭୁଜବଳ, ଟିପିଡବ୍ଲ୍ୟୁଓଡିଏଲ୍ ପାଇଁ ରଂଜନ ନାଥ, ଟିପିଏସ୍ଓଡିଏଲ୍ ପାଇଁ ମନୋରଂଜନ ବିଶ୍ବାଳ, ଟିପିଏନ୍ଓଡିଏଲ୍ ପାଇଁ ହରିଶ ଚନ୍ଦ୍ର
ଦାସ, ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ର ପାଇଁ କାଶୀନାଥ ମଲ୍ଲିକ, ହୀରାକୁଦ ଜଳବିଦ୍ୟୁତ୍ କେନ୍ଦ୍ର ପାଇଁ ଏ. ଶଙ୍କର, ଅପର କୋଲାବ ପାଇଁ ଅଭୟ ପ୍ରସାଦ ଧୀର, ଅପର ଇନ୍ଦ୍ରାବତୀ ପାଇଁ ଉପେନ୍ଦ୍ର ମହାନନ୍ଦ, କେନ୍ଦ୍ରୀୟ ଯୁଗ୍ମ ସମ୍ପାଦକ ଭାବେ ଦେବାଶିଷ ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ଶିଶିର କୁମାର ପଣ୍ଡା ନିର୍ବାଚିତ ହୋଇଥିଲେ । ସର୍ବଶେଷରେ ଆଜିର ଅଧୂବେଶନର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା ଯୋଗୁଁ ସହ-ସାଧାରଣ ସମ୍ପାଦକ ପ୍ରିୟବ୍ରତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
