ବାରିପଦା ତା ୦୩/୦୧(ପାଇକପୁଅ)ତୁଳସୀ ଦୁଇ ପତ୍ରରୁ ବାସେ,ଏହା ପ୍ରମାଣିତ କରିଛନ୍ତି ବାରିପଦାର ଦୀପକ କୁଁଅର। ୨୦୧୯ ମସିହାରେ ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଅନ୍ୟମାନଙ୍କର କାରାଟେ ଅଭ୍ୟାସ କରୁଥିବାର ଦେଖି ୭ ବର୍ଷର ଦୀପକ କାରାଟେ ପ୍ରତି ଆକୃଷ୍ଟ ହୋଇଥିଲେ।ଦିବ୍ୟାଙ୍ଗ ପିତା ରଙ୍ଗକାମ କରି ପରିବାର ପାଳୁଥିଲେ ହେଁ ପୁଅର ଜିଦ ଆଗରେ ହାରମାନି କାରାଟେ ସ୍କୁଲରେ ନାମ ଲେଖେଇ ଦେଇଥିଲେ।ଗୁରୁ ସୁଶାନ୍ତ ବାରିକଙ୍କ ଠାରୁ ଉପଯୁକ୍ତ ପ୍ରଶିକ୍ଷଣ ପାଇ ଦୀପକ ପ୍ରଥମ ଥର ପାଇଁ ୨୦୨୩ ମସିହାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, ୨୦୨୪ ମସିହାରେ ସବ ଜୁନିୟର ରାଜ୍ୟସ୍ତରୀୟ କାରାଟେ ପ୍ରତିଯୋଗିତାରେ ତୃତୀୟ ସ୍ଥାନ, ୨୦୨୫ ମେ ମାସରେ ରାଞ୍ଚିଠାରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ।ବର୍ତ୍ତମାନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରରେ ୪୫ କିଲୋଗ୍ରାମରୁ କମ ବାଳକ ବିଭାଗରେ ଅଂଶ ଗ୍ରହଣ କରି ୩ୟ ସ୍ଥାନ ଅଧିକାର ପୂର୍ବକ ବ୍ରଞ୍ଚ ପଦକ ହାସଲ କରିଛନ୍ତି।ବାରିପଦା ୧୫ ନଂ ୱାର୍ଡ ସ୍ଥିତ ଜନାର୍ଦ୍ଦନପୁର ନିବାସୀ ବିଶ୍ୱନାଥ କୁଁଅର ଓ ରୀତା କୁଁଅରଙ୍କ ପୁଅ ଦୀପକ ବର୍ତମାନ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ମ ଶ୍ରେଣୀର ଛାତ୍ର।ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।ଉପଯୁକ୍ତ ପ୍ରଶିକ୍ଷଣ ପାଇଲେ ଦୀପକ ନିଶ୍ଚୟ ଦିନେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବେ ବୋଲି ପ୍ରଶିକ୍ଷକ ଶ୍ରୀ ବାରିକ ପ୍ରକାଶ କରିଛନ୍ତି।
