ମାଲକାନଗିରି,୨୬/୧୨ (ସୁଧାଂଶୁ ଶେଖର ମହାନ୍ତି )ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ଓ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ପରେ ଶେଷରେ ମନ୍ତ୍ରୀପୁଟ ଗ୍ରାମ ଶେଷ ମୁଣ୍ଡରେ ଦେଇ ଯାଇଥିବା ବଡ଼ ନାଳ ଉପରେ ପୋଲ ନିର୍ମାଣ ନିମନ୍ତେ ବିଭାଗ ପକ୍ଷରୁ ସରକାର ଅନୁଦାନ ୧ କୋଟି ୯୦ ଲକ୍ଷ ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। କିନ୍ତୁ ଦୁଃଖର ବିଷୟ, ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆଶାଙ୍କୁ ଭାଙ୍ଗି ଦେଇଛନ୍ତି ସମ୍ପୃକ୍ତ ଠିକାଦାର। ଏହି ରାସ୍ତା ଟି ନୀଳାଦ୍ରୀନଗର ଗଣେଶ ମନ୍ଦିରରୁ ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତକୁ ଯୋଗାଯୋଗ କରୁଥିବା ବେଳେ ଦୈନିକ ଏହି ରାସ୍ତା ଦେଇ ଶହ ଶହ ବାଇକ ଚାଳକ ଯାତାୟତ କରିଥାନ୍ତି। କିନ୍ତୁ ଆରଡି ବିଭାଗ ଦ୍ଵାରା ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ହୋଇଥିଲେ ସୁଦ୍ଧା ଏହି ପୋଲଟି ନିର୍ମାଣ ହୋଇ ନଥିବାରୁ ଚାରି ଚକିଆ ଯାନ କିମ୍ବା ଆମ୍ବୁଲାନ୍ସ ଏହି ରାସ୍ତା ଦେଇ ଯାତାୟତ କରି ପାରୁନାହିଁ। ଏହି ପୋଲ ନିର୍ମାଣ ହୋଇ ନଥିବା ହେତୁ ବହୁ ସମୟରେ ଉକ୍ତ ଗ୍ରାମର ରୋଗୀଙ୍କୁ ଭାରରେ ବୁହାଇ ଆଣିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ବାଇକ ଯୋଗେ ଯାତାୟତ କରିବା ସମୟରେ ବହୁ ସମୟରେ ଏହି ନାଳ ପାର ହେଉଥିବା ବେଳେ କିଛି ବାଇକ ଚାଳକ ଏହି ଛୋଟ ଛୋଟ ପଥରରେ ଛନ୍ଦି ହୋଇ ଦୁର୍ଘଟଣା ର ଶିକାର ହୋଇ ଆହତ ହେଉଥିବା ର ମଧ୍ୟ ନଜିର ରହିଛି। କିନ୍ତୁ ବିଭାଗ ପକ୍ଷରୁ ପୋଲ ନିର୍ମାଣ ନିମନ୍ତେ ସରକାରୀ ଅନୁଦାନ ମଞ୍ଜୁର ହୋଇ ଟେଣ୍ଡର କାର୍ଯ୍ୟ ସାରି ଠିକାଦାର କାର୍ଯ୍ୟ ପାଇଥିଲେ ସୁଦ୍ଧା ଏଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ସ୍ଥାନୀୟ ରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ଅଂଚଳବାସୀ।

