ବାରିପଦା,୨୫/୧୨(ପାଇକପୁଅ)ବାରିପଦା ସଦର ଥାନା ପୋଲିସ ଏକ ପେସାଦାର ବାଇକ ଚୋରି ରାକେଟର ୫ ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଗୋଟିଏ ହ୍ୟୁଣ୍ଡାଇ ଭେନ୍ୟୁ କାର ସହ ୪୧ଟି ଚୋରା ବାଇକ ଜବତ କରିବାରେ ସଫଳ ହୋଇଛି।ଏହି ଗାଡି ଚୋର ରାକେଟରେ ଅଧିକ ସଦସ୍ୟ ସାମିଲ ଥିବା ବେଳେ, ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି. ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ଡିସେମ୍ବର ରାତି ୭ଟା ୪୫ ମିନିଟ ସମୟରେ ସଦର ଥାନା ଏଏସଆଇ ଜିତେନ୍ଦ୍ର କୁମାର ଜେନା ସନ୍ଧ୍ୟା ପ୍ୟାଟ୍ରୋଲିଂ କରୁଥିବା ବେଳେ ରଙ୍ଗାମାଟିଆ ଗାଁ ନିକଟ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଅଞ୍ଚଳରେ ଥିବା ଏକ ଭଡ଼ା ଘରୁ ଚୋରା ଗାଡି ଓ ପାର୍ଟସ ମିଳିଥିଲା. ଏହି ଘଟଣାରେ ଗୋବିନ୍ଦ ଚନ୍ଦ୍ର ସିଂହ ଓରଫ ବାପି ଓ ରୋହିଦାସ ସିଂହ ଓରଫ ହବ୍ଲାଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରାଯାଇଥିବା ବେଳେ ସେମାନେ ବିଭିନ୍ନ ଅଞ୍ଚଳରୁ ଯାନ ଚୋରି କରି ଅବୈଧ ବିକ୍ରୟ ଉଦ୍ଦେଶ୍ୟରେ ସଂଗ୍ରହ କରୁଥିବା କଥା ସ୍ୱୀକାର କରିଥିଲେ।ଏଥିରୁ ପୋଲିସ ଗାଡି ଚୋର ରେକେଟର ଖିଅ ପାଇ ଅଧିକ ତଦନ୍ତ କରି ଚୋରା ଗାଡି କିଣୁଥିବା ଅଭିଯୋଗରେ ଶିବାଜୀ ବଗାଳ, ବସୁଦେବ ହାତି ଓ ଭିମେଶ୍ୱର ସିଂହଙ୍କୁ ମଧ୍ୟ ଗିରଫ କରିଥିଲା।ପୋଲିସ ଏମାନଙ୍କ ହେପାଜତରୁ ଗୋଟିଏ ହ୍ୟୁଣ୍ଡାଇ ଭେନ୍ୟୁ କାର, ୪୧ଟି ବାଇକ, ବାଇକର କିଛି ପାର୍ଟସ, ଟାୟର,ଏକାଧିକ ନକଲି ନମ୍ବର ପ୍ଲେଟ, ଚୋରିରେ ବ୍ୟବହୃତ କଟର, ସ୍କ୍ରୁଡ୍ରାଇଭର, ଏଲଏନ କି ଓ ୬ଟି ମୋବାଇଲ ଫୋନ ଜବତ କରିଛି।ବାରିପଦା ସଦର ଥାନା କେସ ନଂ ୨୬୩/୨୦୨୫ ଅନୁସାରେ ବିଏନଏସ ଧାରା ୩୦୩(୨), ୩୧୭(୪) ଓ ୩(୫) ରେ ରୁଜୁ ହୋଇ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଆଜି ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ବାରିପଦା ସଦର ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବାରିପଦା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା ଉପସ୍ଥିତ ଥିଲେ।

