ବାରିପଦା,୦୮/୧୦(ପାଇକପୁଅ) ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ (ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ) ଆନୁକୂଲ୍ୟରେ ପୀଠାବଟା ଠାରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ସ୍ୱତନ୍ତ୍ର ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂରକ୍ଷଣ ପାଇଁ ଚିତ୍ରକଳା ବାର୍ତ୍ତା ସହ ଶିମିଳିପାଳର ରଙ୍ଗ ଶୀର୍ଷକରେ ଆୟୋଜିତ ଏହି ଶିବିରରେ ମୋଟ ୧୫ ଜଣ ପ୍ରତିଭାବାନ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ବିଶିଷ୍ଟ ଚିତ୍ରଶିଳ୍ପୀ ମାନସ ପତି ଯୋଗଦେଇ ନିଜର ଚିତ୍ରକଳା ‘ଜଳ’ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିମିଳିପାଳର ସବୁଜ ବନାନୀ, ବିବିଧ ବୃକ୍ଷଲତା, ପଶୁପକ୍ଷୀ ଓ ଜୀବଜନ୍ତୁ ଆଜି ଏଠାରେ ପ୍ରବାହିତ ଅଗଣିତ ଜଳସ୍ରୋତ ଯୋଗୁଁ ହିଁ ସୁରକ୍ଷିତ ଓ ଜୀବନ୍ତ ରହିଛନ୍ତି ବୋଲି ସେ ତାଙ୍କ କଳାକୃତି ଜରିଆରେ ବାର୍ତ୍ତା ପ୍ରଦାନ କରିଥିଲେ।ଶିବିରରେ ପ୍ରଦର୍ଶିତ ସମସ୍ତ ଚିତ୍ରକଳାକୁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବୁଲି ଦେଖିବା ସହ ଶିଳ୍ପୀମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କଳା ଏକ ସଶକ୍ତ ମାଧ୍ୟମ ପାଲଟିଥିବାରୁ ଏଭଳି ସୃଜନଶୀଳ ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗନାନୀ, ଉପନିର୍ଦେଶକ (ଦକ୍ଷିଣ) ସୁମିତ କର ଓ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଚିତ୍ରକଳାର ପ୍ରଶଂସା କରିଥିଲେ ।

