କୋଣାର୍କ, ୨୫/୧୩(ଗଙ୍ଗାଧର ବେଉରା):- କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରସ୍ଥାନ ଦ୍ଵାର ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଛି।ଫଳରେ ମନ୍ଦିର ପରିଦର୍ଶନ କରି ଫେରୁଥିବା ପର୍ଯ୍ୟଟକ ଅନ୍ଧାରରେ ଆସୁଥିବା ପରିଲକ୍ଷିତ ହୋଇଛି।ଏପରିକି କିଛି ପର୍ଯ୍ୟଟକ ମୋବାଇଲରେ ଲାଇଟ ମାରି ଆସୂଥିବା ଦେଖିବାକୁ ମିଳିଛି। ଏହି ପ୍ରସ୍ଥାନ ବାଟରେ ଖୁଣ୍ଟ ଓ ଲାଇଟ୍ ଲାଗିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଆଲୁଅ ନଜଳିବା ଫଳରେ ପର୍ଯ୍ୟଟକ ମାନେ ଅନ୍ଧାରରେ ଆବୁଡ଼ା ଖାବୁଡ଼ା ରାସ୍ତାରେ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଭାବେ ଆସୁଥିବା ଦେଖିବାକୁ ମିଳିଛି।ସୂର୍ଯ୍ୟ ମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା କେନ୍ଦ୍ରୀୟ ସଂସ୍ଥା ଏ ଏସ ଆଇ(ASI)ବାର୍ଷିକ କୋଟି କୋଟି ଟଙ୍କା ପ୍ରବେଶ ଶୁଳ୍କ ଭାବେ ଆଦାୟ କରୁଥିବା ବେଳେ ମନ୍ଦିରରେ ପର୍ଯ୍ୟଟକ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ସହ ଆବଶ୍ୟକୀୟ ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ କୌଣସି ପଦେକ୍ଷପ ନିଆଯାଇନଥିବା ଜଣାପଡିଛି। ଏହି ପ୍ରସ୍ଥାନ ବାଟ ଅତ୍ୟନ୍ତ ବିପଦ ପୁର୍ଣ୍ଣ ହୋଇଥିବା ବେଳେ ଅନ୍ଧାର ଯୋଗୁଁ ଆହୁରି କଷ୍ଟକର ହୋଇପଡ଼ିଛି। ଆବୁଡା ଖାବୁଡା ରାସ୍ତା ସହ ସାପ,ଗୋଧି ପରି ବିଷାକ୍ତ ସରୀସୃପ ପୂର୍ଣ୍ଣ ଏହି ରାସ୍ତାରେ ଯଦି କୌଣସି ପର୍ଯ୍ୟଟକ ମାନଙ୍କର କ୍ଷତି ହୁଏ ,ତେବେ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଅଛନ୍ତି। ଏଏସଆଇ ପର୍ଯ୍ୟଟକଙ୍କ କୋଟି କୋଟି ଟଙ୍କା ପ୍ରବେଶ ଶୁଳ୍କ ଭାବେ ସଂଗ୍ରହ କରୁଥିବା ବେଳେ ସେମାନଙ୍କ ପାଇଁ ସାମାନ୍ୟ ଆଲୁଅ ଉପଲବ୍ଧ କରାଇ ନପାରିବା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସମେତ ବିଭାଗୀୟ ଅଧିକାରୀ,ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି।

