ମାଲକାନଗିରି,୨୪/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ଡାକ୍ତରଖାନାରେ ଓପିଡି ବନ୍ଦ ରହିବ। ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ଛୋଟ ବଡ଼ ସରକାରୀ ଡାକ୍ତରଖାନାରେ ଆସନ୍ତା ୨୬ ତାରିଖରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବା ସୂଚନା ମିଳିଛି।ଏନେଇ ଓଡ଼ିଶା ସେବାରତ ଡାକ୍ତର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ପକ୍ଷରୁ ଆସନ୍ତା ୨୬ ତାରିଖ ଦିନ ସମସ୍ତେ କଳା ପୋଷାକ ପିନ୍ଧି ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି। ଏହି କ୍ରମରେ କୋରୁକୋଣ୍ଡା ସଦର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି) ଏବଂ ବାଲିମେଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ସହିତ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନା ଯେପରିକି ମାଟାପାକା, ତୁମସାପାଲି , ଏମଭି-୧୯ ଏବଂ ଏମଭି – ୪୭ ଡାକ୍ତରଖାନା ବନ୍ଦ ରହିବ। ଯାହା ଦ୍ୱାରା ଉକ୍ତ ଅଞ୍ଚଳ ଗୁଡିକର ଶତାଧିକ ସାଧାରଣ ଲୋକ ରୋଗୀ ସେବାରୁ ବଞ୍ଚିତ ରହିବେ। ଏହା ଦ୍ବାରା ଗ୍ରାମାଞ୍ଚଳର ଶତାଧିକ ଗରିବ ଶ୍ରେଣୀୟ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାର ସୁଯୋଗ ହରେଇବେ। ଯେହେତୁ ମାଲକାନଗିରି ଜିଲ୍ଲା ସର୍ବଦା ସ୍ବାସ୍ଥ୍ୟ ସେବାରେ ପଛୁଆ ରହି ଆସିଛି। ଯଦି ରାଜ୍ୟ ସରକାର ଡାକ୍ତର ମହାସଂଘର ଦାବି ପୁରଣ ନ କରନ୍ତି ତେବେ ସେବାରତ ଡାକ୍ତର ମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସୂଚନା ମିଳିଛି। ଡାକ୍ତର ମହାସଂଘର ଆନ୍ଦୋଳନ ଯଦି ଦୀର୍ଘ ଦିନ ଲାଗି ରହେ ତେବେ ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିବା ନେଇ ଜିଲ୍ଲାବାସୀ ଆଶଙ୍କା କରୁଛନ୍ତି। ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବାଲିମେଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସୌଭାଗ୍ୟ କୁମାର ହୁଇଙ୍କୁ ପଚାରିବାରୁ ଯେହେତୁ ରାଜ୍ୟ ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଆମର ନାର୍ଯ୍ୟ ଦାବି ଗୁଡ଼ିକ ପୁରଣ କରି ନାହାଁନ୍ତି। ସେଥିପାଇଁ ଆସନ୍ତା ୨୬ରେ ତାରିଖରେ ଆମେ ଆନ୍ଦୋଳନରେ ବସିବୁ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସ ୧୮ ତାରିଖରେ ବାଲେଶ୍ଵର ଠାରେ ଅନୁଷ୍ଠିତ ହୋଇଥିବା ଓମସାକନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସମେତ ପାଖାପାଖି ୧୨ ଶହ ଡ଼ାକ୍ତରଙ୍କ ସମ୍ମୁଖରେ ବିଭିନ୍ନ ନାର୍ଯ୍ୟ ଦାବି ଗୁଡ଼ିକ ସହୃଦୟତାର ସହ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ପ୍ରାୟ ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦୃଷ୍ଟି ଦେଇ ନଥିବା ଡାକ୍ତର ମହାସଂଘ ପକ୍ଷରୁ ସୂଚନା ମିଳିଛି।

