କୋଣାର୍କ, ୨୧/୧୨(ପାଇକପୁଅ):- କୋଣାର୍କ ଅଞ୍ଚଳରେ ଜବର ଦଖଲ କାରୀଙ୍କ ଅଧୀନରେ ରହିଥିବା ଅଭିଯୋଗ ହୋଇଛି।ଜବର ଦଖଲକାରୀ ମାନେ ରାସ୍ତାକୁ ଦଖଲ କରି ବ୍ୟବସାୟ କରୁଥିବା ବେଳେ ଏବେ ଡ୍ରେନ ସହ ଜାତୀୟ ରାଜପଥକୁ ଦଖଲ କରି ଦୋକାନ କରିଥିବା ଦେଖିବାକୁ ମିଳିଛି।ରାସ୍ତା ଉପରେ ଦୋକାନ ବଜାର ଯୋଗୁଁ ପର୍ଯ୍ୟଟକ ଗାଡ଼ି ଗୁଡ଼ିକ ରାସ୍ତା ଉପରେ ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ କେତେକ ଦୋକାନୀ ନିଜେ ଦୋକାନ କରିବା ସହ ଆଉ କିଛି ଜାଗାକୁ ଅନ୍ୟ ଦୋକାନୀ ମାନଙ୍କୁ ଭଡା ଦେଇ ଦୈନିକ ଶହେ ଟଙ୍କାରୁ ଆରମ୍ଭ କରି ପାଞ୍ଚଶହ ଟଙ୍କା ଆଦାୟ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି।ଯାହାକି ସ୍ଥାନୀୟ ପ୍ରଶାସନ ଦ୍ବାରା ସରଜମିନି ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ।ଏନେଇ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରସାରଣ ହେଇଥିଲେ ମଧ୍ୟ ଜବର ଦଖଲ କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ପର୍ଯ୍ୟଟନ ଋତୁ ଆରମ୍ଭ ହେଉଥିବାରୁ ରାସ୍ତା ଓ ଡ୍ରେନ ଉପରେ ଜବରଦଖଲ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେବାର ଆଶଙ୍କା ସୃଷ୍ଠି ହୋଇଛି।ସୂର୍ଯ୍ୟ ମନ୍ଦିର ସାମ୍ନା ରାସ୍ତା ସହ ଆଇ ଓ ସି ଏଲ୍ ପାର୍କିଂ ଓ ମୁଖ୍ୟ ଫାଟକ ଜାତୀୟ ରାଜପଥକୁ ବ୍ୟବସାୟୀ ମାନେ ଦଖଲ କରି ବ୍ୟବସାୟ କରିବା ଯୋଗୁଁ ରାସ୍ତା ସଙ୍କୋଚିତ ହୋଇ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଭିଡ଼ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ ହୋଇଛି।କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ମୁଖ୍ୟ ରାସ୍ତା ଜବରଦଖଲ ସମେତ କୋଣାର୍କ ଏନଏସି ଅଂଚଳରେ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗୋପ ତହସିଲଦାର ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଖବରରୁ ପ୍ରକାଶ ଯେ ବୁଧବାର ଅପରାହ୍ନରେ କୋଣାର୍କ ଯାତ୍ରୀ ନିବାସ ଠାରେ ପବିତ୍ର ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୀର୍ଘ ଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ପ୍ରବେଶ ରାସ୍ତା ଅବରୋଧ କରି ଖଟ ପକାଇ ବେଆଇନ ଭାବେ ଜବରଦଖଲ କରି ବ୍ୟବସାୟ କରି ଆସୁଛନ୍ତି। ଏହି ସମାସ୍ୟା ଯୋଗୁଁ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନେ ପ୍ରବେଶ ପଥ ରାସ୍ତା ଜବରଦଖଲ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପର୍ଯ୍ୟଟକ ମାନେ ଲୁଟର ଶିକାର ହେବା ସହ ଟ୍ରାଫିକ ସମସ୍ଯା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଗକୁ ବଡଦିନ ଓ ନୂଆବର୍ଷ ପଢୁଥିବାରୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଲକ୍ଷାଧିକ ପର୍ଯ୍ୟଟକ ମାନଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଜାନୁଆରୀ ୨୫ ତାରିଖରେ ପବିତ୍ର ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ଅନୁଷ୍ଠିତ ହେଉଥିବାରୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ରାସ୍ତା ଅବରୋଧ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଯାତାୟାତ କରିବା ଦିଗରେ ପ୍ରତିବନ୍ଧକ ସାଜିପାରେ ।ସେହିପରି କୋଣାର୍କ ବସଷ୍ଟାଣ୍ଡ ଜବରଦଖଲ ଓ ଅନ୍ୟ ସ୍ଥାନରେ ଜବରଦଖଲ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ଯା ଓ ଗମନାଗମନ ସୁଗମ କରିବା ପାଇଁ କୋଣାର୍କ ସୂର୍ଯ୍ୟ ପ୍ରବେଶ ପଥ ମୁଖ୍ୟ ରାସ୍ତା, ବସଷ୍ଟାଣ୍ଡ ଜବରଦଖଲ ଉଚ୍ଛେଦ ସହ ବେଆଇନ ଅବରୋଧ ହଟାଇବା ପାଇଁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନାଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ବାରମ୍ବାର ଖବର ପ୍ରସାରଣ ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କେବେ କାର୍ଯ୍ୟକାରୀ ହେବ ତାହାକୁ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରିଥିବା ସାଧାରଣରେ ଆଲୋଚନା ହେଉଥିବା ଜଣାପଡିଛି।

