କୋଣାର୍କ,୨୨/୧୨(ପାଇକପୁଅ):-ରବିବାର ମଧ୍ୟାହ୍ନରେ କୋଣାର୍କ ଏନଏସି ୩ ନଂ ୱାର୍ଡ ମୁଳିସାହି ଗ୍ରାମ ସିଜୁଗୋରଡି ସାହି ନିକଟରେ ମାଟିଆପଡା ଗ୍ରାମ ଆଡୁ ବେଆଇନି ଭାବେ ଏକ ଟ୍ରାକ୍ଟର ବୋଝେଇ ମାଟି ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇ ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଚଢ଼ାଉ କରି ଏକ ନମ୍ବର ବିହୀନ ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କରି କୋଣାର୍କ ଥାନାରେ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତହସିଲଦାରଙ୍କୁ ଦେଖି ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଗାଡି ଚାବି ନେଇ ଚମ୍ପଟ ମାରି ଫେରାର ହୋଇଯାଇଥିଲା ।ଟ୍ରାକ୍ଟର ଟିରେ କୌଣସି ନମ୍ବର ପ୍ଲେଟ ନଥିବା ଦେଖାଯାଇଛି । ସୂଚନା ଥାଉକି ବାଲି ମାଫିଆ ଜଣକ କୋଣାର୍କ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଏହି ଟ୍ରାକ୍ଟର ନମ୍ବର ବିହୀନ ଭାବେ ବ୍ୟବହାର କରି ଦିବା ରାତ୍ରି ନିର୍ଭୟରେ ଦୈନିକ ଶହ ଶହ ଟ୍ରିପ ବାଲି ଓ ମାଟି ବେଆଇନି ଭାବେ ଚୋରାଚାଲାଣ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜବତ ନମ୍ବରବିହୀନ ଟ୍ରାକ୍ଟର କୋଣାର୍କ ଥାନା ହେପାଜତରେ ଥିବା ବେଳେ ଜିଲ୍ଲା ମାଇନ୍ସ ବିଭାଗ ଓ ପୁରୀ ଆରଟିଓ ପକ୍ଷରୁ ଅର୍ଥଦଣ୍ଡ ରେ ଦଣ୍ଡିତ କରାଯିବା ପାଇଁ ଗୋପ ତହସିଲଦାର ଅବଗତ କରାଇଅଛନ୍ତି।

