ମାଲକାନଗିରି,୧୭/୦୮ (ସୁଧାଂଶୁ ଶେଖର ମହାନ୍ତି)ମଦ ପାଇଁ ବିବାଦ, ନିଜ ପତ୍ନୀଙ୍କୁ ନିଷ୍ଠୁର ଭାବେ ପିଟିପିଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ଙ୍କ ନାମ ପ୍ରଭାତୀ କୁଞ୍ଜ (୩୮)। ଏମିତି ଏକ ଦୁଃଖଦ ଘଟଣା ଏମଭି–୭୯ ଥାନା ଅନ୍ତର୍ଗତ ଭୁବନପଲ୍ଲୀ ପଞ୍ଚାୟତର ଗିନିପଲ୍ଲୀ ଗ୍ରାମରେ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଭାତୀଙ୍କ ସ୍ୱାମୀ ଭିମା କୁଞ୍ଜ ସବୁବେଳେ ମଦ୍ୟପାନ କରି କିଛି କାର୍ଯ୍ୟ କରୁନଥିଲେ। ତେଣୁ ପ୍ରଭାତୀ ନିଜ ଘରେ ମଦ ରାନ୍ଧି ତାହା ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ସେହି ମଦକୁ ଭିମା ସାରାଦିନ ପିଇ ନିଶାଗ୍ରସ୍ତ ରହୁଥିବାରୁ, ପ୍ରଭାତୀ ଗତ କିଛିଦିନ ହେବ ମଦ ଲୁଚାଇ ରଖିଥିଲେ। ଶନିବାର ପ୍ରଭାତୀ ତଳି ରୋଇ ନିଜ ଘରକୁ ଆସିବା ପରେ ଭିମା ମଦ ମାଗିଥିଲେ। ସେ ମନା କରିବା ପରେ, ଭିମା ଉତକ୍ଷିପ୍ତ ହୋଇ କୋଦାଳର ବେଣ୍ଟ ଦ୍ୱାରା ନିର୍ମମ ଭାବରେ ନିଜ ସ୍ତ୍ରୀକୁ ପିଟିଥିଲା। ପରେ ଘରକୁ ଭିତରକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ଯାହା ଫଳରେ ପ୍ରଭାତୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ଆଗେଇଆସିଲେ ମଧ୍ୟ ଭିମା ସମସ୍ତଙ୍କୁ ମାରିବାକୁ ଧମକ ଦେଇଥିଲା। ପରେ କୌଶଳକ୍ରମେ ଅଭିଯୁକ୍ତ ସ୍ୱାମୀଙ୍କୁ ଆୟତ୍ତ କରି ପୋଲିସଙ୍କୁ ଗ୍ରାମବାସୀ ହସ୍ତାନ୍ତର କରିଥିଲେ। ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ହତ୍ୟାକାରୀ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

